କନକ ବ୍ୟୁରୋ : ଆଜି ବିଶ୍ୱ ବାଘ ଦିବସ । ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରିଆସୁଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

publive-image

୧୯୬୦ରୁ ପ୍ରତିଷ୍ଠିତ ନନ୍ଦନକାନନ ବାଘଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ନନ୍ଦନକାନନର ଗୌରବ ଧଳା ବାଘ । ଆଜି ସୁଦ୍ଧା ନନ୍ଦନକାନନରେ ମୋଟ ୧୪୨ଟି ଧଳାବାଘ ଜନ୍ମ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୪ ମରି ଯାଇଥିବା ବେଳେ ୩୦ଟିଙ୍କୁ ଅନ୍ୟତ୍ର ପଠାଯାଇଛି । ବର୍ତ୍ତମାନ ୮ଟି ଧଳା ବାଘ ପ୍ରାଣୀ ଉଦ୍ୟାନରେ ଅଛନ୍ତି । ଧଳା, ବିରଳ କଳା ଓ ସାଧାରଣ ରଙ୍ଗର ବାଘଙ୍କୁ ମିଶାଇ ମୋଟ ୨୫ଟି ନନ୍ଦନକାନନରେ ଅଛନ୍ତି । ବାଘ ଦିବସରେ ନନ୍ଦନକାନରେ ବାଘ ସୁରକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କୁ ନେଇ କୁଇଜ୍ ପ୍ରତି ଯୋଗିତା କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଦସ୍ତଖତ ଅଭିଯାନ କରାଯାଇଛି ।

publive-image

୨୦୧୬ରେ ସାରା ଦେଶରେ ମୋଟ୍ ୫୦ଟି ବାଘ ଶିକାର କରାଯାଇଛି । ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ସୋସାଇଟି ଅଫ୍ ଇଣ୍ଡିଆ ଅନୁସାରେ, ଗତ ୧୫ ବର୍ଷ ତୁଳନାରେ ଏହି ସଂଖ୍ୟା ଅଧିକ । ତେବେ ଆଶ୍ୱସ୍ତିର କଥା ହେଉଛି, ଗତ କିଛି ବର୍ଷ ଭିତରେ ବାଘଙ୍କ ସଂଖ୍ୟାରେ ମଧ୍ୟ ଆଶାନୁରୂପକ ଭାବେ ବୃଦ୍ଧି ଘଟିଛି । ୨୦୧୧ରେ ସଂଖ୍ୟା ୧୭୦୬ ଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ଛୁଇଁଛି ୨୨୨୬ । ନ୍ୟାସନାଲ୍ ଟାଇଗର୍ କନଜରଭେସନ ଅଥରିଟି ମୁଖ୍ୟଙ୍କ ସୂଚନା ଅନୁସାରେ ଚାଲିଥିବା ବାଘ ଗଣନାରେ ସଂଖ୍ୟା ୨୫୦୦ ଅତିକ୍ରମ କରିଯିବ । ଅର୍ଥାତ୍ ବର୍ଷ ପରେ ବର୍ଷ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

publive-image

୧୯୭୩ରେ ଭାରତ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ କରିଥିଲା । ୨୦୦୬ରେ ଏନଟିସିଏ ଗଠନ କରାଗଲା । ବାଘଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିବା ପରେ ଏହି ସଂସ୍ଥା ଗଠନ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା, କିଭଳି କମୁଥିବା ବାଘ ସଂଖ୍ୟାକୁ ରୋକାଯିବ । ଏଥିସହ ବାଘ ବାସସ୍ଥଳୀକୁ ମଧ୍ୟ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ତେବେ ବଡ କଥା ହେଉଛି, ଏବେ ବି ବାଘଙ୍କ ପ୍ରତି ବିପଦ କିଛି କମ ନୁହେଁ ।

publive-image

ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ହେଲା, ୨୦ ଲକ୍ଷ ବର୍ଷ ଆଗରୁ ସାରା ବିଶ୍ୱରେ ୨ ଲକ୍ଷ ବାଘ ଥିଲେ । ବିଂଶ ଶତାଦ୍ଦୀ ବେଳକୁ ସଂଖ୍ୟା ଖସି ଆସିଲା ୧ ଲକ୍ଷକୁ । ଆଉ ଏହି ସମୟରେ ଭାରତରେ ଥିଲେ ୪୦ ହଜାର ବାଘ । ୧୯୭୨ ବେଳକୁ ସଂଖ୍ୟା ଖସି ଆସିଲା ୧୮୦୦ । ଯେତେବେଳେ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ କରାଗଲା । ୨୦୦୮ ବେଳକୁ ସଂଖ୍ୟା ଖସି ଆସିଲା ୧୪୦୦କୁ । ହେଲେ ଏବେ ସାରା ବିଶ୍ୱରେ ୩୨୦୦ ବାଘ ଥିବା ବେଳେ ଭାରତରେ ଅଛନ୍ତି ୨୨୦୦ । ଅର୍ଥାତ୍ ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି ।

• ବାଘଙ୍କ ଭିତରେ ଝଗଡା/ଗଣ୍ଡଗୋଳ ସେମାନଙ୍କ ପାଇଁ ବିପଦ ଆଣିଦେଇଛି । ଜାନୁୟାରୀ ୨୦୧୧ରୁ ସେପଟେମ୍ବର ୨୦୧୬ ମଧ୍ୟରେ ପରସ୍ପର ଆକ୍ରମଣରେ ଅଧିକ ବାଘଙ୍କ ଜୀବନ ଯାଇଛି ।

• ଦ୍ୱିତୀୟରେ ରହିଛି ବାଘ ଶିକାର । ସରକାରୀ ସ୍ତରରେ ପ୍ରକାଶ ପାଇଥିବା ପରିସଂଖ୍ୟାନ କିଛି ଏଭଳି ଦିଗକୁ ସାମ୍ନାକୁ ଆଣିଛି । ଏହି ଅବଧି ମଧ୍ୟରେ ୪୦୭ଟି ବାଘ ମୃତ୍ୟୁର ଖବର ଆସିଥିଲା । ଯେଉଁଥିରୁ ୨୦୦ଟି ମୃତ୍ୟୁର କାରଣ ନିର୍ଦ୍ଦିଷ୍ଟ ଭାବେ ମିଳିଥିବା ସରକାରୀ ସ୍ତରରେ କୁହାଯାଇଛି ।

• ପରସ୍ପରକୁ ଆକ୍ରମଣ ଘଟଣାରେ ୬୭ଟି ବାଘଙ୍କ ଜୀବନ ଯାଇଛି । ଏହି ଅବଧି ମଧ୍ୟରେ ୫୨ଟି ବାଘ ଶିକାର ହୋଇଛି । ବିଷ ଦେଇ ବାଘ ଶିକାର କରିବା ସବୁଠାରୁ ଅଧିକ ହୋଇଥିବା ଜଣାପଡିଛି ।

ଭାରତରେ ସବୁଠାରୁ ଅଧିକ ବାଘ ଥିବା ବେଳେ ଚିନ୍ତାର ବିଷୟ ହେଉଛି, କିଛି ପ୍ରଜାତିର ବାଘ ସାରା ବିଶ୍ୱରୁ ଲୋପ ପାଇଗଲେଣି । ଭାରତ, ନେପାଳ, ଭୁଟାନ୍, ଋଷିଆ ଭଳି ରାଷ୍ଟ୍ରରେ ବାଘ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆଜି ବି ଏହି ପ୍ରାଣୀ ବିପଦସଂକୁଳ ଅବସ୍ଥାରେ ରହିଛି । ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ଆଜିର ଦିନରେ ବାଘକୁ ଚିନ୍ତା କରାଯାଉଛି ।

publive-image

ଭାରତରେ ବାଘ ଶିକାର ସବୁଠାରୁ ଚିନ୍ତାଜନକ ବିଷୟ । ୨୦୧୪ରେ ୮୧, ୨୦୧୫ରେ ୨୫, ଏପ୍ରିଲ ୨୦୧୬ ସୁଦ୍ଧା ୨୮ । ଏଭଳି ତଥ୍ୟ ଲଗାତର ଭାବେ ସରକାରୀ ସ୍ତରରେ ଚିନ୍ତା ବଢାଇଛି । ସେହିଭଳି ବାଘଙ୍କ ବାସସ୍ଥଳୀ ସଂକୁଚିତ ହେବା ମଧ୍ୟ ସଂଖ୍ୟା କମିବା ପଛର ଗୋଟିଏ ପ୍ରମୁଖ କାରଣ । ସହର ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୩ ପ୍ରତିଶତ କମିଛି । ପ୍ରତିଦିନ ଦେଶରେ ୩୩୩ ଏକର ଜଙ୍ଗଲ କମୁଛି । କିଛି ବାଘ ଛୋଟ ଜଙ୍ଗଲରେ ରହିବାକୁ ସକ୍ଷମ ଥିଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ ଏମାନଙ୍କ ସଂଖ୍ୟାକୁ ଲଗାତର ଭାବେ କମାଇ ଚାଲିଛି । ସରକାରୀ ତଥ୍ୟ କହୁଛି, ପରସ୍ପରକୁ ଆକ୍ରମଣରେ ଯାଇଥିବା ୪୦୭ ବାଘଙ୍କ ଜୀବନ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟରୁ ।

publive-image

ବାଘଙ୍କ ବାବଦରେ କିଛି ରୋଚକ ତଥ୍ୟ : ବାଘଙ୍କ ବାବଦରେ କିଛି ରୋଚକ ତଥ୍ୟ ଉପରେ ନଜର ପକାନ୍ତୁ । ପ୍ରତି ବାଘ ଦେହରେ ପାଖାପାଖି ୧୦୦ ପ୍ରକାରର ପଟା ଦାଗ ଥାଏ । ହେଲେ କୌଣସି ବି ଦୁଇଟି ବାଘର ଦେହରେ ସମାନ ପଟା ନଥାଏ । ଅର୍ଥାତ୍ ପ୍ରତି ବାଘ ଦେଖିବାକୁ ଅଲଗା ଅଲଗା, ଠିକ୍ ଫିଙ୍ଗର ପ୍ରିଂଟ ଭଳି । ବାଘ ମୋଟ୍ ୮ଟି ଉପ-ପ୍ରଜାତିର । ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ବାଘକୁ ନେଇ ଏହିସବୁ ପ୍ରଜାତିର ନାମକରଣ ହେଉଛି । ବାଘ, ସିଂହ, ଚିତାବାଘ, ଜାଗୁଆର ହେଉଛନ୍ତି ବିଲେଇ ପ୍ରଜାତିର, ଯେଉଁମାନେ ଗର୍ଜନ କରିପାରିବେ ହେଲେ ବିଲେଇ ପରି ଶଦ୍ଦ କରିପାରିବେ ନାହିଁ । ରାତିରେ ମଣିଷ ଯେତିକି ଦେଖିପାରିବ, ତାଠାରୁ ୬ ଗୁଣ ଅଧିକ ଦେଖିପାରେ ବାଘ । ଦେଖିକରି ଓ ଶୁଣିକରି ବାଘ ଶିକାର କରେ, ଶୁଂଘିକରି ନୁହେଁ । ଗୋଟିଏ ଥରକୁ ବାଘ ୨୨ ରୁ ୩୨ କିଲୋଗ୍ରାମ ଯାଏଁ ଖାଦ୍ୟ ଖାଇପାରେ । ଗୋଟିଏ ବାଘ ଥରକେ ପାଖାପାଖି ୧୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁପାରେ ।

publive-image

ଆଜିର ଦିନରେ ସଂକଳ୍ପ ନେବାର ଆବଶ୍ୟକତା ରହିଛି, ବିଲୁପ୍ତପ୍ରାୟ ଏହି ପ୍ରଜାତିର ପ୍ରାଣୀଙ୍କୁ ରକ୍ଷା କରିବା ସହ ସେମାନଙ୍କର ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷା ଦେବା । ଫଳରେ ଆମର ପରବର୍ତ୍ତୀ ପିଢି ବାଘଙ୍କୁ ଦେଖିପାରିବେ ଓ ସେମାନଙ୍କ ବାବଦରେ ଅନେକ କଥା ଜାଣିପାରିବେ ।