ବାରବାଟୀ ଲଢେଇ ପାଇଁ ସରିଛି ସମରସଜ୍ଜା…ଆଉ ମାତ୍ର କେଇ ଘଂଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ମହାସମର…ଐତିହାସିକ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍

ବାରବାଟୀରେ ରେକର୍ଡ: ୧୬ରୁ ୧୨ ମ୍ୟାଚ୍ ଜିତିଛି ଭାରତ

231

କନକ ବ୍ୟୁରୋ: ବାରବାଟୀର ବଡ଼ ଲଢ଼େଇ ଲାଗି ସମରସଜ୍ଜା ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ସମର। ଐତିହାସିକ ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍। ଆଜିର ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରି ପୂରା ପ୍ରସ୍ତୁତ। ଗତକାଲି ବେଶ୍ କେତେ ଘଣ୍ଟା ପଡ଼ିଆରେ ଅଭ୍ୟାସ କରି ଝାଳ ବୁହାଇଥିବା ଦୁଇ ଦଳର ଖେଳାଳି ମଧ୍ୟ ନିଜ ରଣନୀତିକୁ ଆହୁରି ଶାଣିତ କରି ନେଇଛନ୍ତି। ତିନି ଟିକିଆ ଶୃଙ୍ଖଳାରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ବାରବାଟୀରେ ଉଭୟ ଦଳ ପାଇଁ ରହିଛି ସ୍ମରଣୀୟ ଶୃଙ୍ଖଳା ବିଜୟ ସୁଯୋଗ। ୱେଷ୍ଟଇଣ୍ଡିଜ୍ ବାଜି ମାରିନେଲେ ଦୀର୍ଘ ବ୍ୟବଧାନ ପରେ ଭାରତରେ ଶୃଙ୍ଖଳା ଜିତିବାର ସ୍ବାଦ ଚାଖିବ। ଅନ୍ୟପକ୍ଷରେ ଭାରତ ବିଜୟୀ ହେଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତର ୧୦ମ ଶୃଙ୍ଖଳା ଜିତିବାର ଗୌରବ ହାସଲ କରିବ।

ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସହ ସମଗ୍ର ଓଡ଼ିଶାରେ ଭାରତ-ୱେଷ୍ଟଇଣ୍ଡିଜ୍ ମହାମୁକାବିଲାକୁ ନେଇ ଚର୍ଚ୍ଚା ଓ ଉତ୍କଣ୍ଠାର ଅନ୍ତ ନାହିଁ। ବିଶାଖାପାଟଣା ଭଳି ବାରବାଟୀରେ ମଧ୍ୟ ଦୁଇ ଓପନର ରାହୁଲ-ରୋହିତଙ୍କ ଛକା-ଚୌକା ବର୍ଷା ସହ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ରୁ ଶତକୀୟ ପାଳି ଆଶାରେ ଅଛନ୍ତି ପ୍ରଶଂସକ। ସେପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ସହଜରେ ବାଟ ଛାଡ଼ିବ ନାହିଁ ବୋଲି ପ୍ରଶିକ୍ଷକ ଫିଲ୍ ସିମନ୍ସ ସ୍ପଷ୍ଟ କରି ଦେଇଛନ୍ତି। ସାଇ ହୋପ୍, ସିମରନ୍ ହେଟମେୟର, ନିକୋଲାସ ପୂରନଙ୍କ ଭଳି ଖେଳାଳି ଭାରତୀୟ ବୋଲରଙ୍କର କଡ଼ା ମୁକାବିଲା କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଯୁବ ତାରକା ଶ୍ରେୟସ୍ ଆୟର ଏହାର ଦୃଢ଼ ଜବାବ ଦେଇଛନ୍ତି। ବିଶାଖାପାଟଣା ଦିନିକିଆ ଜିତିବା ପରେ କଟକରେ ଭାରତୀୟ ଦଳର ମ୍ୟାଚ୍ ଜିତିବା ଆଶା ଆହୁରି ପ୍ରବଳ ହୋଇଛି ବୋଲି ସେ କହିଛନ୍ତି।

ବାରବାଟୀରେ ରେକର୍ଡ: ୧୬ରୁ ୧୨ ମ୍ୟାଚ୍ ଜିତିଛି ଭାରତ

ବାରବାଟୀରେ ବିଜୟ ରେକର୍ଡ ଦୃଷ୍ଟିରୁ ଭାରତର ପଲା କିନ୍ତୁ ଭାରି ରହିବ। ବାରବାଟୀକୁ ଆଜି ପର୍ଯ୍ୟନ୍ତ ୨୦ ଅନ୍ତର୍ଜାତୀୟ ଦିନିକିଆ ଆୟୋଜନ ଅଧିକାର ମିଳିଛି। ସେଥିମଧ୍ୟରୁ ୧୮ ମ୍ୟାଚ୍ ଖେଳା ଯାଇଥିଲା ବେଳେ ୨ ମ୍ୟାଚ୍ ବାତିଲ ହୋଇଛି। ଏହି ୧୮ ମ୍ୟାଚରୁ ଭାରତ ଭିନ୍ନ ଭିନ୍ନ ଦଳ ବିପକ୍ଷରେ ୧୬ ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଛି। ଅନ୍ୟ ଦୁଇଟି ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ଏବଂ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଛି। ଅର୍ଥାତ୍ ବାରବାଟୀରେ ଟିମ୍ ଇଣ୍ଡିଆର ସଫଳତା ହାର ୭୫ ପ୍ରତିଶତ ରହିଛି। ହେଲେ ଏଠାରେ ଖେଳା ଯାଇଥିବା ଗତ ୬ ଏକଦିବସୀୟ ମୁକାବିଲାରେ ଭାରତ ଅପରାଜେୟ ରହିଛି। ୨୦୦୩ ନଭେମ୍ବର ୫ରେ ନ୍ୟୁଜିଲାଣ୍ଡଠାରୁ ୬ ୱିକେଟ୍ରେ ହାରିବା ପରଠାରୁ ଭାରତୀୟ କ୍ରିକେଟ୍ ଦଳ ଆଉ ବାରବାଟୀରେ ପରାଜିତ ହୋଇନାହିଁ। ୨୦୧୩ ଅକ୍ଟୋବର ୨୬ରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଭାରତ ମ୍ୟାଚ୍ ଅବଶ୍ୟ ବାତିଲ ହୋଇଯାଇଥିଲା। ଭାରତ ଶେଷ ଥର ପାଇଁ ୨୦୧୭ରେ ଏଠାରେ ଖେଳିଥିବା ମ୍ୟାଚ୍ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଥିଲା। ୱେଷ୍ଟ୍ଇଣ୍ଡିଜ୍ ଏଠାରେ ଖେଳିଥିବା ତିନିଟି ଯାକ ମ୍ୟାଚ୍ ହାରିଛି। ଏହି ଦଳ ବାରବାଟୀରେ ୧୯୯୪, ୨୦୦୭ ଓ ୨୦୧୧ରେ ଖେଳି ଯଥାକ୍ରମେ ୮ ୱିକେଟ୍, ୨୦ ରନ୍ ଏବଂ ୧ ୱିକେଟରେ ଭାରତଠାରୁ ପରାଜିତ ହୋଇଛି।