ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍: ଯିଏ ଜିତିବ ସେମିଫାଇନାଲ ପାଇଁ ସମ୍ଭାବନା ବଢିବ

215

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ଏହାସହ ଏହି ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ତାର ସେମିଫାଇନାଲ ଖେଳିବା ଆଶା ବଢିବ ।

ଭାରତର ପ୍ରଥମ ମ୍ୟାଚରେ ପ୍ରଦର୍ଶନ
ଭାରତ ତାର ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ବିନା ରନରେ ପାଭିଲିୟନ ଫେରିଥିଲା ବେଳେ କେଏଲ ରାହୁଲ ୩ ରନ କରିଥିଲେ । ହେଲେ କୋହଲି ଓ ପନ୍ତ ଦମଦାର ପାଳି ଖେଳିଥିଲେ । ହେଲେ ପାକିସ୍ତାନ ବିପକ୍ଷରୋ ବୋଲରମାନେ ବିଫଳ ହୋଇଥିଲେ ।

ନ୍ୟୁଜିଲାଣ୍ଡରେ ପ୍ରଥମ ମ୍ୟାଚରେ ପ୍ରଦର୍ଶନ
ଗତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳ ବିଫଳ ହୋଇଥିଲା । ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୩୪ ରନ କରିଥିଲା । ଦଳର କେହି ବି ବ୍ୟାଟ୍ସମ୍ୟାନ ୩୦ ରନ ଉପରକୁ କରିପାରିନଥିଲେ । ସେହିପରି ବୋଲିଂ କଥା କହିବା ତ ଇର୍ଶ ସୋଦି ୨ ୱିକେଟ ନେଇଥିଲେ । ଆଉ ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

କାହା ପଲ୍ଲା ଭାରି?
ରେକର୍ଡ ଦେଖିଲେ ନିଶ୍ଚିତ ଭାବେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ୨୦୦୩ ବିଶ୍ୱକପ ପରଠୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନି । ୨୦୦୭ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପରାଜିତ ହୋଇଥିଲା । ସେହିପରି ୨୦୧୬ ଟି-୨୦ ବିଶ୍ୱକପ ମ୍ୟାଚରେ ମଧ୍ୟ ପରାଜୟ ସ୍ୱିକାର କରିଥିଲା ଭାରତ । ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ମଧ୍ୟ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ନ୍ୟୁଜିଲାଣ୍ଡ ।

ଉଭୟ ଟିମର ଶକ୍ତି
ଯଦି ଟିମ ଇଣ୍ଡିଆର ଶକ୍ତି ଉପରେ ନଜର ପକାଇବା ତେବେ ଭାରତ ପାଖରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ଯଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମିଙ୍କ ଭଳି ଅଭିଜ୍ଞ ବୋଲର ମଧ୍ୟ ରହିଛନ୍ତି । ନ୍ୟୁଜିଲାଣ୍ଡ ମଧ୍ୟ ଏହି ଲିଷ୍ଟରେ ପଛରେ ନାହିଁ । କାରଣ ଦଳରେ କେନ ୱିଲିୟମସନ ଓ ମାର୍ଟିନ ଗପ୍ଟିଲଙ୍କ ଭଳି ବ୍ୟାଟ୍ସମ୍ୟାନ ଓ ଟିମ ସାଉଦି ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ବୋଲର ରହିଛନ୍ତି ।