ଆଜି ବସିବ ହାଇକୋର୍ଟ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ନିଆଯିବ ବଡ ନିଷ୍ପତି , ଆଇନଜୀବୀଙ୍କ ଆନ୍ଦୋଳନ ନେଇ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ

185

କନକ ବ୍ୟୁରୋ : ଆଜି ବସିବ ହାଇକୋର୍ଟ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ବୈଠକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ନିଷ୍ପତି ନିଆଯିବ ।  କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି  ଓକିଲମାନେ କାର୍ଯ୍ୟବନ୍ଦ ଆେନ୍ଦୋଳନ କରିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଥିଲେ । ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ବିସିଆଇର ନିର୍ଦେଶ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସିଧା ଚିଠିରେ କହିଥିଲେ ।

କାର୍ଯ୍ୟରେ ଯୋଗ ନଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ । ସୁପ୍ରିମକୋର୍ଟ ବି  ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲୋ  କୋର୍ଟ କହିଥିଲେ, କୌଣସି ସ୍ଥିତିରେ ଆଇନ ବ୍ୟବସ୍ଥାକୁ ସ୍ଥାଣୁ ହେବାକୁ ଦିଆଯିବ ନାହିଁ ।  ଏଭଳି ସ୍ଥିତିରେ ଆଜିର ଓକିଲଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

Comments are closed.