ଆଜି ଖୋଲା ହେବ ଇଭିଏମ୍, ଆସିବ ଜନତା ଜନାର୍ଦ୍ଦନଙ୍କ ରାୟ। ସ୍ପଷ୍ଟ ହୋଇଯିବ ଆସନ୍ତା ୫ବର୍ଷ ପାଇଁ କାହାକୁ ପ୍ରତିନିଧି ବାଛିଛନ୍ତି ଭୋଟର? କାହା ହାତରେ ରହିବ କ୍ଷମତା

51

କନକ ବ୍ୟୁରୋ: ଆଉ ମାତ୍ର କିଛି ଘଂଟା ପରେ ଖୋଲା ହେବ ଇଭିଏମ୍, ଆସିବ ଜନତା ଜନାର୍ଦ୍ଦନଙ୍କ ରାୟ । ଏହାକୁ ନେଇ ଜନତାଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ବଢ଼ୁଛି, ସେହି ଅନୁସାରେ ନେତାଙ୍କ ଛାତି ବି ଧଡ଼ଧଡ଼ ହେଉଛି । କାରଣ ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଯେଉଁ କସରତ କରିଥିଲେ, ତା’ର ହିସାବ ନିକାଶ ସ୍ପଷ୍ଟ ହୋଇଯିବ ଆଜି । ତେବେ ମଧ୍ୟାହ୍ନ ବେଳକୁ କିଛି ଆସନରେ ଚିତ୍ର ସ୍ପଷ୍ଟ ହୋଇଯିବ। ସନ୍ଧ୍ୟା ସୁଦ୍ଧା ଜଣାପଡିଯିବ, ଆସନ୍ତା ପାଞ୍ଚବର୍ଷ ପାଇଁ କାହାକୁ ପ୍ରତିନିଧି ବାଛିଛନ୍ତି ଭୋଟର। କାହା ହାତରେ କ୍ଷମତା ରହିଲେ ରାଜ୍ୟ ସୁରକ୍ଷିତ ରହିବ ବୋଲି ଭୋଟର ନିଷ୍ପତ୍ତି ନେଇଛନ୍ତି?

ଦିନ ଗଡ଼ିବା ସହ ଆଜି ଧୀରେ ଧୀରେ ସ୍ପଷ୍ଟ ହୋଇଯିବ କାହା ସପକ୍ଷରେ ରହିଛି ଜନମତ । ସବୁ ପ୍ରକାର ଆକଳନ, ପୂର୍ବାନୁମାନ, ଆଲୋଚନା, ସମୀକ୍ଷା, ତର୍କ ଓ ବିତର୍କକୁ ପଛରେ ପକାଇ ଆସିବ ଜନତାଙ୍କ ରାୟ । ଏଗଜିଟ୍ ପୋଲ୍ ସ୍ଥାନରେ ଏଗଜାଟ୍ ରେଜଲ୍ଟକୁ ନେଇ ଆରମ୍ଭ ହୋଇଯିବ ଚର୍ଚ୍ଚା ।

ଅନ୍ୟପଟେ, ଗଣତି ପୂର୍ବରୁ ବଢ଼ିବାରେ ଲାଗିଛି ନେତାଙ୍କ ହାର୍ଟବିଟ୍ସ । ନିର୍ବାଚନ ଜିତିବା ପାଇଁ ଦିନ ରାତି ଏକ କରି ଦେଇଥିବା ନେତାଙ୍କୁ ଘାରିଛି ଜିତିବା ହାରିବା ଚିନ୍ତା । ବିଶେଷ କରି ଏଗଜିଟ୍ ପୋଲ୍ ରିପୋର୍ଟ ନେତାଙ୍କ ନିଦ ହଜାଇ ଦେଇଛି । ଯେଉଁ ପ୍ରାର୍ଥୀଙ୍କ ବିପକ୍ଷରେ ବୁଥ ବାହୁଡ଼ା ମତ ଆସିଛି, ସେମାନଙ୍କ ମନରେ ହତାଶା ଖେଳିଯାଇଛି ଆଉ ଯେଉଁମାନଙ୍କ ସପକ୍ଷରେ ରହିଛି ଏଗଜିଟ୍ ପୋଲ୍ ରିପୋର୍ଟ, ସେମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।