ଆକ୍ରାନ୍ତ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା । ଗତ ୫ ଦିନରେ ଆକ୍ରାନ୍ତ ହୋଇଛନ୍ତି ୬୪୨ ଜଣ, ହେଲେ ସୁସ୍ଥ ହୋଇଛନ୍ତି ୬୭୮ ଜଣ ଆକ୍ରାନ୍ତ, ସେପଟେ ବିଶେଷଜ୍ଞ କହୁଛନ୍ତି, ତଥାପି ସତର୍କ ରହିବା ଜରୁରୀ ନଚେତ ବଢିଯାଇପାରେ ସଂକ୍ରମଣ

1,016

କନକ ବ୍ୟୁରୋ : ଗୋଟିଏ ପଟେ ମହାମାରୀ କରୋନାର ଭୟ , ଆଉ ଗୋଟିଏ ପଟେ କରୋନା ରୋଗରୁ ସୁସ୍ଥ ହେଉଥିବାର ଏ ହେଉଛି ତାଲିକା । ଗତ ୬ ତାରିଖରୁ ୧୦ ତାରିଖର ଏକ ତୁଳନାତ୍ମକ ଚିତ୍ରକୁ ଭଲଭାବରେ ଦେଖନ୍ତୁ । କେତେ ଜଣ ଆକ୍ରାନ୍ତ ହେଉଛନ୍ତି ଆଉ କେତେଜଣ ସୁସ୍ଥ ହେଉଛନ୍ତି । ଅବଶ୍ୟ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ତାର ସଂଶୋଧିତ ନିୟମାବଳୀରେ ପରିବର୍ତନ କରିବା ପରେ ବହୁ ସଂଖ୍ୟାରେ ଆକ୍ରାନ୍ତ ପ୍ରତ୍ୟେକ ଦିନ ସୁସ୍ଥ ହେଉଛନ୍ତି । ଆଉ ଏହି ସୁସ୍ଥ ହେଉଥିବାର ବେଗ ଏବେ ଏତେ ବଢିଯାଇଛି ଯେ, ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଉଥିବା ସଂଖ୍ୟା ଆହୁରି ବଢିଯାଇଛି । ଆଇସିଏମଆର ମାର୍ଗଦର୍ଶିକା ଅନୁସାରେ କରୋନା ଆକ୍ରାନ୍ତଙ୍କୁ ୩ ଭାଗରେ ବିଭକ୍ତ କରାଯାଇ ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି ।

– ଲକ୍ଷଣ ଦେଖାଯିବାର ୧୦ ଦିନ ପରେ ଏବଂ ଲଗାତର ୩ ଦିନ ଜ୍ୱର ନହେଲେ ସୁସ୍ଥ ବୋଲି କୁହାଯିବ
– ଡାକ୍ତରଖାନାରୁ ଛାଡ ପାଇବା ପରେ ଆକ୍ରାନ୍ତ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବାକୁ ପଡିବ
– ଅତି ଗୁରୁତର ରୋଗୀଙ୍କୁ କରୋନା ଟେଷ୍ଟ କରି ନେଗେଟିଭ୍ ଆସିଲେ ଛାଡ ମିଳିବ
– ଅନ୍ୟରୋଗୀଙ୍କୁ ହସ୍ପିଟାଲରୁ ଛାଡିବା ପୂର୍ବରୁ କରୋନା ଟେଷ୍ଟ ଆବଶ୍ୟକ ନୁହେଁ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବୁଧବାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ଏଯାଏ ୩ହଜାର ୨୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୫୭ ଜଣଙ୍କ ଚିକିତ୍ସା ଚାଲିଛି ଏବଂ ୨୨୮୨ ଜଣ ସୁସ୍ଥ ହୋଇଛନ୍ତି ।