ସଂକଟରେ ମଧ୍ୟପ୍ରଦେଶର କମଲନାଥ ସରକାର । ଆଜି ବିଜେପିରେ ସାମିଲ ହେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ , ଅନ୍ୟପଟେ କମଳନାଥଙ୍କ ଦୃଢ଼ୋକ୍ତି ତାଙ୍କ ପାଖରେ ଅଛି ବହୁମତ

387

କନକ ବ୍ୟୁରୋ : ଗତ ୩୦ ଘଂଟା ଭିତରେ ମଧ୍ୟପ୍ରଦେଶ ରାଜନୈତିକ ପାଣିପାଗରେ ବଡ ପରିବର୍ତନ ଆସିଛି । କଂଗ୍ରେସର ହେଭିୱେଟ୍ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ହାତ ଛାଡିବା ପରେ ଆଜି ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି । ସିନ୍ଧିଆଙ୍କ ସହ କଂଗ୍ରେସର ୨୨ଜଣ ବିଧାୟକ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେବା ସହ ଦଳ ଛାଡିଛନ୍ତି । ଜାତୀୟ ରାଜନୀତିରେ କଂଗ୍ରେସର ଏହି ବଡ ଚେହେରା ୧୮ ବର୍ଷର ସଂପର୍କ ଛିନ୍ନ କରି କଂଗ୍ରେସରୁ ଦୂରେଇ ଯିବା ଦଳ ପାଇଁ ବଡ ଝଟକା ହୋଇଛି । ତେବେ ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ କଂଗ୍ରେସ ଛାଡିଛନ୍ତି ଜ୍ୟୋତିରାଦିତ୍ୟ । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଜ୍ୟୋତିରାଦିତ୍ୟ ଏକ ନୂଆ ଆରମ୍ଭ କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

ତେଣୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ବିଜେପିକୁ ଯିବା ପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପୁରସ୍କାର ମିଳିପାରେ । ପ୍ରଥମେ ମୁଖ୍ୟମନ୍ତ୍ରୀ ଆସନ, ପରେ ପ୍ରଦେଶ ସଭାପତି ଓ ପୁଣି ରାଜ୍ୟସଭା ଆସନରୁ ଦୂରେଇ ରଖାଯିବାରୁ ଜ୍ୟୋତିରାଦିତ୍ୟଙ୍କ ଭିତରେ ଅସନ୍ତୋଷ ଚରମରେ ପହଂଚିଥିଲା । ତେଣୁ ନିଜେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଦଳରେ ତାଙ୍କର ଅନୁଗତ ନେତାମାନେ ଇସ୍ତଫା ଦେଇଛନ୍ତି । ଅବଶ୍ୟ ଦଳ ବିରୋଧୀ କାମ ପାଇଁ ସୋନିଆ ଗାନ୍ଧୀ ତାଙ୍କୁ ଦଳରୁ ବହିଷ୍କାର କରିଥିବା କଂଗ୍ରେସ ନେତା କହିଛନ୍ତି । ହେଲେ ମଧ୍ୟପ୍ରଦେଶରେ ଦେଖାଦେଇଥିବା କଂଗ୍ରେସ ସଂକଟ ଆଗକୁ ଦଳପାଇଁ ଆହୁରି ସାଂଘାତିକ ହେବ ବୋଲି ରାଜନୀତି ବିଶେଷଜ୍ଞ ଆକଳନ କରୁଛନ୍ତି ।