ଆଜି ଲାଗିବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ରାତି ୧୦ଟା ୩୭ରୁ ଗ୍ରହଣ ଆରମ୍ଭ, ଭୋର ୨ଟା ୪୨ରେ ଶେଷ : ପୂର୍ଣ୍ଣିମାରେ ଫିକା ଦିଶିବ ଜହ୍ନ

1,037

କନକ ବ୍ୟୁରୋ : ଆଜି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାବେ ରାତି ୧୦ଟା ୩୭ରୁ ଆରମ୍ଭ ହୋଇ ଭୋର ୨ଟା ୪୨ ମିନିଟରେ ଶେଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆଜିର ଏହି ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ସୂର୍ଯ୍ୟ , ପୃଥିବୀ ଓ ଚନ୍ଦ୍ର ଏକ ସମତଳ ଓ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଅର୍ଥାତ ପୃଥିବୀର ଛାଇ ପଡୁଥିବା ଅଂଚଳ ଦେଇ ଚନ୍ଦ୍ର ଗତି କଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ତେବେ ମହାକାଶରେ ପୃଥିବୀର ଦୁଇଟି ଛାଇ ସୃଷ୍ଟି ହୋଇଥାଏ । ଉପଛାୟା ହାଲୁକା କଳା ହୋଇଥିବା ବେଳେ ଛାୟା ଗାଢ କଳା ହୋଇଥାଏ ।

ଛାୟା ଅଂଚଳ ଦେଇ ଚନ୍ଦ୍ର ଗତି କଲେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ ଏବଂ ଉପଛାୟା ଅଂଚଳରେ ଗତି କଲେ ଆଂଶିକ ଚନ୍ଦ୍ର ଗ୍ରହଣ ହୁଏ । ଆଜିି ଚନ୍ଦ୍ର ପୃଥିବୀର ଉପଛାୟା ଅଂଚଳ ଦେଇ ଗତି କରିବ । ଫଳରେ ହାଲୁକା ଫିକା ଦେଖାଯିବ ପୂର୍ଣ୍ଣିମା ଚନ୍ଦ୍ର । ତେଣୁ ଆଜି ଆଂଶିକ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଉଛି । ତେଣୁ ଏହାକୁ ଶ୍ରୀମନ୍ଦିରରେ ପାଳନ କରାଯାଉନଥିବା ଜଣାପଡିଛି । ଅର୍ଥାତ ସାଧାରଣ ଦିନ ମାନଙ୍କ ଭଳି ବଡ ଦେଉଳରେ ଶ୍ରୀଜୀଉ ଓ ଅନ୍ୟ ଦେବାଦେବୀଙ୍କ ପୂଜାନୀତି ଅନୁଷ୍ଠିତ ହେବ । ଏହି ଚନ୍ଦ୍ର ଗ୍ରହଣ ଓଡିଶା ସମେତ ଭାରତ ତଥା ବିଶ୍ୱର ବିଭିନ୍ନ ଅଂଚଳରେ ଦୃଶ୍ୟମାନ ହେବ । ଆକାଶ ମେଘ ମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖିହେବ । ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟୋପରାଗ ଦେଖାଯିବ ।