ମାସକର କାର୍ତିକ ବ୍ରତ ପରେ ଆଜି ପାଳନ ହେଉଛି ଛାଡଖାଇ । ଆମିଷ ପାଇଁ ବଜାରରେ ଲଂବା ଲାଇନ୍ : ମାଛ, ଚିକେନ୍ ଓ ମାଂସର ଚଢା ଦର

700

କନକ ବ୍ୟୁରୋ : ସରିଲା କାର୍ତିକ ମାସ । ଆଜି ଛାଡ଼ଖାଇ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଭିଡ । ସକାଳୁ ସକାଳୁ କିପରି ମନ ପସନ୍ଦର ଆମିଷ ପାଇପାରିବେ ସେ ନେଇ ଆମିଷ ହାଟରେ ଦେଖିବାକୁ ମିଳିଛିି ଗହଳି । କଟକରୁ ନେଇ ଭୁବନେଶ୍ୱର, ବାଲେଶ୍ୱରରୁ ମାଲକାନଗିରି, ବ୍ରହ୍ମପୁର ସବୁଠି ଆମିଷ ଦୋକାନଙ୍କ ପାଖରେ ଭିଡ । କାର୍ତ୍ତିକ ମାସ ସରିବା ପରେ ପରେ ଏଥର ବୁଧବାର ପଡିଛି ଛାଡଖାଇ । ଆମିଷ ବାର ହୋଇଥିବାରୁ ବ୍ରହ୍ମପୁରର ବ୍ୟବସାୟୀ କେବଳ ଛାଡଖାଇ ପାଇଁ ଆଣିଛନ୍ତି ଆନ୍ଧ୍ରରୁ ୨୦ ଟନ ମାଛ । ଏହା ସହିତ ଚିକେନ ଓ ମଟନ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଏଥର ଛାଡଖାଇରେ ଆମିଷ ଦର ମଧ୍ୟ ଉଚ୍ଚା ରହିବାର ସମ୍ଭାବନା ରହିଛି । ଛାଡ ଖାଇରେ ମାଛ କିଲୋ ପ୍ରତି ପୂର୍ବରୁ ୧୪୦ ଥିବା ବେଳେ ଏବେ ୧୬୦ ଟଙ୍କା ରହିବ, ଚିକେନ ପୂର୍ବରୁ ୧୫୦ ଟଙ୍କା ଥିବା ବେଳେ ୧୮୦ରୁ ୨୦୦ ଟଙ୍କା ରହିବ ଓ ମଟନ ପୂର୍ବରୁ ୫୦୦ ଟଙ୍କା ରହିଥିବା ବେଳେ ୬୦୦ ଟଙ୍କା ଛୁଇଁବା ଅନୁମାନ କରାଯାଉଛି ।

କଟକରେ ଛାଡଖାଇକୁ ନଜରରେ ରଖି ହୋଟେଲ ଗୁଡିକରେ ହୋଇଛି ବଡ ଆୟୋଜନ । ଏଥର ଛାଡଖାଇ ଭଲ ବାର ପଡିଥିବାରୁ ଆମିଷ ଉପରେ ଅନେକ ଆଇଟମ୍ କରିଛନ୍ତି ହୋଟେଲ ଗୁଡିକ । କେବଳ ଛାଡଖାଇ ଉପରେ ସ୍ପେଶାଲ ଡିସ୍ ମଧ୍ୟ ପ୍ରସ୍ତୁତ ହେଉଛି । ଯେପରିକି ଇଲିଶି ମାଛ ଚଲ, ଖଅଙ୍ଗା ବେସ୍ . କଂଟ୍ରି ଚିକେନ୍ ଓ ଚକୁଳି ପିଠା, ଖାସି ବେସ୍ । ଅନେକ ହୋଟେଲ ଆଗରୁ ଛାଡଖାଇ ପାଇଁ ଆବଶ୍ୟକ ଖାସି ସଂଗ୍ରହ କରି ରଖିସାରିଛନ୍ତି । କେବଳ ଅପେକ୍ଷା ରହିଛି ଗ୍ରାହକଙ୍କୁ । ପରିବାର ନେଇ କେହି ବି ଛାଡଖାଇରେ ହୋଟେଲକୁ ଆସିଲେ ଯେପରି ମନପସନ୍ଦର ଆମିଷ ଖାଇ ଯାଇପାରିବ ତା ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ହୋଟେଲ୍ ମ୍ୟାନେଜର । ସେହିପରି କଟକରେ ମଧ୍ୟ ଛାଡଖାଇ ପାଇଁ ଆମିଷ ବଜାରରେ ବି ପ୍ରବଳ ଭିଡ ଦେଖିବାକୁ ମିଳିଛି । ବଡି ଭୋରରୁ ଲାଗିଲାଣି ଲଂବା ଲାଇନ୍ । ମାଛ ଠାରୁ ଆରମ୍ଭ କରି ଦେଶୀ କୁକୁଡା ଓ ଖାସି ମାଂସ ପାଇଁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।