ଆଜି ସଂସଦରେ ଆଗତ ହେବ ବଜେଟ୍ ୨୦୨୦-୨୧ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ :ଆୟକରରେ ମିଳିପାରେ ରିହାତି, ନୂଆ ସ୍କିମ ଘୋଷଣା ସମ୍ଭାବନା

136

କନକ ବ୍ୟୁରୋ : ଆଜି ସଂସଦରେ ଉପସ୍ଥାପିତ ହେବ ଦେଶର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିବେ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣ ବଜେଟ୍ । ସରକାର ଗଢିବାର ୭ ମାସ ମଧ୍ୟରେ ନୀତି ନିର୍ଧାରଣ ଓ ଆର୍ଥିକ ସ୍ଥିତି ସଜାଡିବା କ୍ଷେତ୍ରରେ ମୋଦି ସରକାରଙ୍କ ପାଇଁ ଏହାକୁ ଦ୍ୱିତୀୟ ସୁଯୋଗ ବୋଲି କୁହାଯାଇପାରେ । ସଂପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଏହାଛଡା ନିର୍ମଳା ବଜେଟରେ କେତେକ କ୍ଷେତ୍ରରେ ଟିକସ ହ୍ରାସ ଉପରେ ଜୋର ଦେବେ ବୋଲି ଅନୁମାନ କରାଯାଉଛି ।

ତେବେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଏଥର ବିତୀୟ ନିଅଂଟ କ୍ଷେତ୍ରରେ ରଖିଥିବା ଧାର୍ଯ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେବେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ନିର୍ବାଚନ ପରବର୍ତୀ ତଥା ଦଶନ୍ଧୀର ପ୍ରଥମ ବଜେଟ୍ କେତେ ଲୋକାଭିମୁଖୀ ହେବ ଆଉ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ତା ଉପରେ ସାରା ଦେଶର ନଜର ଅଟକିଛି । ପ୍ରଥମ ଥର ପାଇଁ ଦେଶରେ ବ୍ୟାଙ୍କ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦରଦାମ ଆକାଶଛୁଆଁ ରହିଛି ।

ଲୋକଙ୍କ କ୍ରୟଶକ୍ତି କମିଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ଲକ୍ଷ୍ୟ ୬ ରୁ ୬.୫ ପ୍ରତିଶତ ଥିବା ବେଳେ ୫ ଟ୍ରିଲିଅନ ଡଲର ଅର୍ଥନୀତିର ସ୍ୱପ୍ନ କେମିତି ସାକାର ହେବ ତାକୁ ନେଇ ବି ସୃଷ୍ଟି ହୋଇଛି ପ୍ରଶ୍ନ । ଏପରି ସ୍ଥିତିରେ ସାଧାରଣ ଜନତା, କ୍ଷୁଦ୍ର ବ୍ୟବସାୟୀ, ବ୍ୟାଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଏହି ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ।