କନକ ବ୍ୟୁରୋ : ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି । ଆଜି ବାର୍ଡ ଫ୍ଲୁର ସ୍ଥିତି ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସୁଛନ୍ତି । ସେମାନେ ଓୟୁଏଟି ଫାର୍ମ ହାଉସ ସମେତ ଏହାର ଆଖପାଖ ଅଂଚଳ ବୁଲି ସ୍ଥିତି ପରଖିବେ । କିଭଳି ସ୍ଥିତି ରହିଛି ? କଣ ସବୁ ପଦକ୍ଷେପ ନିଆଯାଇଛି ? କିଛି ତ୍ରୁଟି ରହିଯାଇଛି କି ? ଏସବୁ ଅନୁଧ୍ୟାନ କରିବେ । କେଉଁଥି ପାଇଁ ବାର୍ଡ ଫ୍ଲ ବ୍ୟାପିଲା ? ରାଜଧାନୀରେ ଥିବା ଏହି ଫାର୍ମରେ ବାରମ୍ବାର ବାର୍ଡ ଫ୍ଲୁ ହେଉଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପରି ବିଷୟ ଉପରେ ଆଲୋଚନା ହେବ । ଏହାଛଡା ରାଜ୍ୟ ସରକାରଙ୍କ ସହ ମଧ୍ୟ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରିବେ ବୋଲି ସୂଚନା ଦେଇଛି ମତ୍ସ୍ୟ ଓ ପାଣୀ ସଂପଦ ବିଭାଗ ।
/kanak/media/post_attachments/wp-content/uploads/2020/01/Avian-influenza-An-outbreak-has-occured-in-France-739881-300x178.jpg)
ଗତକାଲି ସଂକ୍ରମିତ ସ୍ଥାନରେ ନିୟୋଜିତ ରାପିଡ ରେସପନ୍ସ ଟିମ୍ ୫ଟି ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରେ ଥିବା କୁକୁଡା ଦୋକାନ ଓ କୁକୁଡା ଚାଷୀଙ୍କ ୮୦ଟି କୁୁକୁଡା ଓ ବତକଙ୍କୁ ମାରି ଗଭୀର ଗାତରେ ପୋତି ଦେଇଛନ୍ତି । ଏଥିସହ ୧୦୫୯ଟି ଅଣ୍ଡା ଓ ୧୦ କେଜି କୁକୁଡା ଖାଦ୍ୟକୁ ଗଭୀର ଗାତରେ ପୋତି ଦେଇଛନ୍ତି । ସେହିପରି ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ଓ ନନ୍ଦକାନନ ପକ୍ଷୀ ବିହାରରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।