କୋଇଲା ଚୋରା ଚାଲଣ ମାମଲା । ଆଜି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରାଙ୍କୁ ସିବିଆଇ କରିବ ଜେରା । ଜାଣନ୍ତୁ କଣ ରହିଛି ମାମଲାର ଅନ୍ତରାଳେ

94

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ସିବିଆଇ ବି ଆକ୍ସନ ମୋଡକୁ ଆସିଛି । କୋଇଲା ଚୋରା ଚାଲାଣ ମାମଲାର ତଦନ୍ତକୁ ଆଗକୁ ନେବାକୁ ଯାଇ ସିବିଆଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରିବାର ପାଖରେ ପହଂଚି ଯାଇଛି । ଆଜି ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡିଛି । ଏହି ମାମଲାରେ ତାଙ୍କୁ ସାକ୍ଷୀ ଭାବେ ସିବିଆଇ ଜେରା କରିବ ।

ଏନେଇ ରବିବାର ଦିନ ସିବିଆଇର ଏକ ଟିମ୍ ଅଭିଷେକଙ୍କ ଘରେ ନୋଟିସ ପହଂଚାଇଥିଲା । ଏହି ନୋଟିସରେ ୨୩ ଫେବୃଆରୀ ଦିନ ସିବିଆଇ ନିକଟରେ ହାଜର ହେବାକୁ ରୁଜିରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ଏହି ମାମଲାରେ ସବିଆଇ ଅଭିଷେକଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ବି ପଚରା ଉଚରା କରିଛି । କୁହାଯାଉଛି କି ମେନକାଙ୍କୁ ସିବିଆଇ ଦୀର୍ଘ ୩ ଘଂଟା ଧରି ପଚରା ଉଚରା କରିଥିଲା ।

କହିରଖୁ କି ୨୦୨୦ ନଭେମ୍ବର ୨୭ ତାରିଖରେ ଇର୍ଷ୍ଟନ୍ କୋଲଫିଲ୍ଡ ଲିମିଟେଡ (ଇସିଏଲ) ର କିଛି ଅଧିକାରୀ, କର୍ମଚାରୀ ଓ ଅନୁପ ସିଂ ଓରଫ୍ ଲାଲା ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଥିଲା କି ଏମାନେ ସିଆଇଏସଏଫ୍, ରେଳ ବିଭାଗ ଓ ଅନ୍ୟ କିଛି ବିଭାଗର ସହଯୋଗରେ ଲିଜ୍ ଦିଆଯାଇଥିବା ଏକ କୋଇଲା କ୍ଷେତ୍ରରୁ ଚୋରାରେ କୋଇଲା ଚାଲାଣ କରୁଥିଲେ ।

ସୂଚନା ଥାଉକି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ଅଭିଯୋଗ କରିଥିଲା କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହାୟତାରେ ପୁତୁରା ଅଭିଷେକ ବାନାର୍ଜୀ ଏକ ପୁଞ୍ଜି ଫାର୍ମ କରିଥିଲେ । ଏହି ଫାର୍ମ ର କାରବାର ଦୁଇବର୍ଷ ମଧ୍ୟରେ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚି ଯାଇଥିଲା । ଏଭଳି ଅଭିଯୋଗ ଆସିବା ପରେ ଅଭିଷେକ କମ୍ପାନୀର ନିର୍ଦ୍ଦେଶକ ପଦ ଛାଡି ଦେଇଥିଲେ । ହେଲେ ଏହି ଫାର୍ମ ମାଧ୍ୟମରେ ଅଭିଷେକଙ୍କ ସ୍ତ୍ରୀ ରୁଜିରା ଓ ଶାଳୀ ମେନକା ଚୋରା କୋଇଲା ଚାଲାଣରେ ସଂପୃକ୍ତ ହୋଇ ଶହ ଶହ କୋଟି ଟଙ୍କା ହାତେଇ ନେଇଥିଲେ ।

Comments are closed.