କନକ ବ୍ୟୁରୋ: ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ସନ୍ଧ୍ୟା ୬ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଶେଷ କରିବେ । ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀ ଆଜି ମାରାଥନ ପ୍ରଚାର କରିବେ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଭୁବନେଶ୍ୱର , ପୁରୀ, କଟକ, ସମ୍ବଲପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଏହି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେଣୁ ପ୍ରାର୍ଥୀମାନେ ଗତକାଲିଠାରୁ ଜୋରଦାର୍ ପ୍ରଚାର କରିଛନ୍ତି। ବିନା ବିଶ୍ରାମରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି। ପଦଯାତ୍ରା, ବାଇକ୍ ଶୋଭାଯାତ୍ରା, ଖୋଲା ଜିପରେ ବୁଲି ବୁଲି ପ୍ରଚାର କରିଛନ୍ତି। ଦୁଇ ଦିନରେ ନିର୍ବାଚନମଣ୍ଡଳୀର ସବୁ ଅଞ୍ଚଳରେ ପହଞ୍ଚିବାକୁ ପ୍ରାର୍ଥୀମାନେ ଉଦ୍ୟମ କରିଛନ୍ତି।

Advertisment

publive-image

ତେବେ ପ୍ରଚାର ସରିବାକୁ ଆଉ କେଇ ଘଣ୍ଟା ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ବସ୍ତି, କଲୋନି, ପଞ୍ଚାୟତ ସବୁ ଅଞ୍ଚଳରେ ବୁଲି ବୁଲି ପ୍ରଚାର କରିଛନ୍ତି। ଯେଉଁଠିକୁ ନିଜେ ଯାଇ ପାରିନାହାନ୍ତି ସେଠାକୁ ଅନ୍ୟ ନେତା, ସମର୍ଥକଙ୍କୁ ପଠାଇ ପ୍ରଚାର କରିଛନ୍ତି। ମଧ୍ୟାହ୍ନରେ ଖରା କମ୍ ଥିବାରୁ ଗତକାଲି ଦିନତମାମ୍ ପ୍ରାର୍ଥୀମାନେ ପ୍ରଚାରରେ ଲାଗି ପଡ଼ିଥିଲେ। ସେହିପରି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥୀମାନେ ବସି ଶେଷ ଦିନର ପ୍ରଚାର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଆଜି ସଂଧ୍ୟାରୁ ଯଦିଓ ପ୍ରାର୍ଥୀମାନେ ଖୁଲମଖୁଲା ପ୍ରଚାର କରିପାରିବେନି କି ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବେନି। ତେଣୁ ଆଜି ସବୁ ଅଞ୍ଚଳରେ ଯେପରି ଥରଟିଏ ହେଉ ପଛେ ପ୍ରଚାର ଗାଡ଼ି ବୁଲିବ ଏବଂ ଦଳର ଜଣେ ନେତା ବୁଲି ବୁଲି ଭୋଟ୍ ଦେବାକୁ ଅନୁରୋଧ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

publive-image

ଅପରପକ୍ଷେ ଗତକାଲି ବିଭିନ୍ନ ବସ୍ତି, କଲୋନିର ବାସିନ୍ଦା ଏବଂ କ୍ଲବର ସଦସ୍ୟମାନେ ପ୍ରାର୍ଥୀଙ୍କୁ ଭେଟି ଭୋଟ୍ ଦେବେ ବୋଲି ଆଶ୍ବାସନା ଦେଇଛନ୍ତି। କେହି କେହି ସେମାନଙ୍କ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ଦାବି କରିଥିବାବେଳେ ଆଉ କେତେକ ଆଜି ଭୋଜି କରିବାକୁ ଚାନ୍ଦା ନେଇଛନ୍ତି। ଆଜି ଆମିଷ ବାର ଥିବାରୁ ପ୍ରାର୍ଥୀମାନେ ବି ଭୋଜି କରିବାକୁ କେତେକ ସ୍ଥାନରେ ଆଗୁଆ ପ୍ରସ୍ତାବ ଦେଇଛନ୍ତି। ଭୋଟ୍ ହାତେଇବାକୁ ପ୍ରାର୍ଥୀମାନେ କୌଣସି ସୁଯୋଗ ଛାଡ଼ୁ ନଥିବାବେଳେ ଭୋଟ୍ ଆଳରେ ନେତାଙ୍କୁ ଚନ୍ଦାଇବାକୁ ବି କିଛି ଲୋକ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।