କନକ ବ୍ୟୁରୋ : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଆଜିଠାରୁ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ହେବାକୁ ଯାଉଛି। ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ବାଧୀନ ଫେଡେରେସନ୍ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ବାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିଜେପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏପରିକି କଂଗ୍ରେସ ଓ ବିଜେଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ ଦେବାନେଇ ପୂର୍ବରୁ ଘୋଷଣା କରିଛି ।  ତେବେ ଏହି ହରତାଳରେ ଭାରତ ମଜଦୁର ସଂଘ ବା ବିଏମ୍ଏସ୍ ସାମିଲହେବ ନାହିଁ । ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ  ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ତେବେ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି।

Advertisment

publive-image Angry protesters

ସେହିପରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ୮ ତାରିଖ ପାଇଁ ବନ୍ଦ ରହିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଅଧୀନ ବିଦ୍ୟାଳୟଗୁଡ଼ିକୁ ନେଇ ଗଠିତ ସହୋଦୟ ମଣ୍ଡଳ ଭୁବନେଶ୍ବର ଚାପ୍ଟରର ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍ କରାଯାଇଛି। ୮ ତାରିଖରେ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ଏ ନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ଡିଏଭି ସ୍କୁଲଗୁଡ଼ିକର କ୍ଲାସ ପରୀକ୍ଷା ବାତିଲ୍ ହୋଇଛି। ୩ୟରୁ ୮ମ ଶ୍ରେଣୀ , ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରାଯାଇଛି।

publive-imageଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ୍ ହୋଇଛି। ବାଣୀବିହାର ଡିଡିସିଇର ପିଜି ପରୀକ୍ଷା ଓ ବିଶ୍ବବିଦ୍ୟାଳୟ ଅଧୀନ ଲ’ କଲେଜଗୁଡିକରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସ˚ଘ(ଓଷ୍ଟା)। ଓଷ୍ଟା ପ୍ରତ୍ୟକ୍ଷ ଭାବେ ଏହି ଧର୍ମଘଟରେ ସାମିଲ ହେବ ବୋଲି ଏହାର ସାଧାରଣ ସ˚ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଭୁବନେଶ୍ବରରେ ୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଧର୍ମଘଟକୁ ଓହ୍ଲାଇବାକୁ ଯାଉଥିବା କୁହାଯାଉଛି। ସଚିବାଳୟରେ ସକାଳ ୧୦ଟା ୧୫ ପୂର୍ବରୁ ସମସ୍ତ କର୍ମଚାରୀ ପହଞ୍ଚିବା ଲାଗି ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା କହିଛନ୍ତି।