ଆଜି ଭାରତ ବନ୍ଦ । ପ୍ରଭାବିତ ହେବ ଗାଡି ଚଳାଚଳ ଓ ବ୍ୟାଙ୍କ ସେବା

541

କନକ ବ୍ୟୁରୋ : ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ କଂଗ୍ରେସ ଆଦି ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି। ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଡାକରା ଦେଇଛନ୍ତି ସଂଗଠନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା କେତେକ ବ୍ୟାଙ୍କ ବନ୍ଦ ରହିବ। ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଭାରତ ବନ୍ଦ ଦ୍ବାରା ଗାଡ଼ି ଓ ଟ୍ରେନ୍ ଚଳାଚଳ, ବାଣିଜ୍ୟ ପ୍ରତିଷ୍ଠାନ ପ୍ରଭାବିତ ହେବ। ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ବି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ସକାଳ ୯ଟା ୩୦ ସୁଦ୍ଧା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିବାକୁ ହେବ। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଆଦି ପ୍ରମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବେ। ସମ୍ମୁଖ ଫାଟକ ୧୦ଟା ୧୫ ମିନିଟରେ ବନ୍ଦ ହେବ। କର୍ମଚାରୀମାନେ ପଛପଟ ଫାଟକ ଦେଇ ଯା’ ଆସ କରିବେ।

ଏଠାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବରରେ ୧୫ ପ୍ଲାଟୁନ୍ ଫୋର୍ସ ସହ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଅଧିକାରୀମାନେ ସୁରକ୍ଷିତ କାର୍ଯ୍ୟାଳୟ ଆସିବା ଓ ସରକାରୀ ସମ୍ପତ୍ତିର ସୁରକ୍ଷା ଦିଗରେ ପୁଲିସ ପ୍ରସ୍ତୁତ ରହିଥିବା ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ରାଜ୍ୟର ସମ୍ବେଦନଶୀଳ ସ୍ଥାନ ସହ ସମସ୍ତ ଥାନାକୁ ଆବଶ୍ୟକୀୟ ଫୋର୍ସ ପଠାଯାଇଛି।