ଆଜିଠାରୁ ବିଧାନସଭା ଅଧିବେଶନ : ବିଚାର ଓ ପାରିତ ପାଇଁ ଆସିପାରେ ୯ଟି ବିଲ୍‌

Advertisment
ଆଜିଠାରୁ ବିଧାନସଭା ଅଧିବେଶନ : ବିଚାର ଓ ପାରିତ ପାଇଁ ଆସିପାରେ ୯ଟି ବିଲ୍‌

କନକ ବ୍ୟୁରୋ : ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ଯ୍ୟଦିବସ ।

ଗୁରୁବାର ସକାଳ ୧୧ଟାରେ ଅଧିବେଶନ ଆରମ୍ଭ ହେବ ଓ ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗରେ ଗୃହରେ ଶୋକପ୍ରସ୍ତାବ ଆସିବ । ଯେହେତୁ ଶ୍ରୀ ସାହୁ ବର୍ତମାନ ବିଧାନସଭାର ଜଣେ ସଭ୍ୟ ଥିଲେ, ଏଣୁ ଆସନ୍ତାକାଲି ଶୋକପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବୀ କରିପାରନ୍ତି । ଏ ନେଇ ଗୃହରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଘୋଷଣା କରିବା ସମ୍ଭାବନା ଅଧିକ । ଅନ୍ୟପକ୍ଷରେ ଏହି ଅଧିବେଶନର ୬ଟି ସରକାରୀ ଦିବସରେ ପାଖାପାଖି ୯ଟି ବିଲ୍‌ ବିଚାର ବା ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏ ମଧ୍ୟରେ ଓଡ଼ିଶା ପୌର ନିଗମ ସଂଶୋଧନ (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍‌, ଓଡ଼ିଶା ବସ୍ତିବାସିନ୍ଦାଙ୍କୁ ଜମି ଦେବା ଅଧିକାର (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍‌, ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍‌, ଓଡ଼ିଶା ମୋଟର ଯାନ ଧାର୍ଯ୍ୟକରଣ ବିଲ୍‌, ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର (ସଂଶୋଧନ) ବିଲ୍‌ ,ଓଡ଼ିଶା ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍‌, ଓଡ଼ିଶା ବିକ୍ରିକର (ବକେୟା ଧାର୍ଯ୍ୟକରଣ) ସଂଶୋଧନ ବିଲ୍‌, ଓଡ଼ିଶା ଯନ୍ତ୍ରୀ ସେବା (ନିଯୁକ୍ତିର ବିଧିମାନ୍ୟକରଣ) ସଂଶୋଧନ ବିଲ୍‌, ଓଡ଼ିଶା ଯନ୍ତ୍ରୀ ସେବା (ନିଯୁକ୍ତିର ବିଧିମାନ୍ୟ କରଣ) ବିଲ୍‌ ରହିଛି । ଅବଶିଷ୍ଟ ୨ଟି ବେସରକାରୀ ବୈଠକ ଦିବସରେ ବେସରକାରୀ ବିଲ୍‌ ଓ ସଂକଳ୍ପ କାର୍ଯ୍ୟ ସଂପାଦିତ ହେବ ବୋଲି ସୂଚନା ମିଳିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe