କନକ ବ୍ୟୁରୋ : ବିଧାନସଭାର ଅସମାପ୍ତ ବଜେଟ ଅଧିବେଶନ ଆସନ୍ତାକାଲି ବସିବ। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଅାସିଥିବାରୁ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏହା ସହ ବିଧାନସଭା କୋଠାକୁ ମଧ୍ୟ ବିଶୋଧନ କରାଯାଉଛି। ସେଥି ପାଇଁ ବୈଠକର ସ୍ଥାନ ପରିବର୍ତ୍ତନ କରାଯାଇଛି।
ସୋମବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ମାତ୍ର ୩୦ ମିନିଟ୍ ଅଧିବେଶନ ଚାଲିବ। ଏଥିରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହେବ। ବିଧାୟକମାନେ ୨ ମିଟର୍ ବ୍ୟବଧାନରେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ସବୁ ବିଧାୟକ ଦଳ ନେତାଙ୍କୁ ୩୦ ପ୍ରତିଶତ ସଦସ୍ୟଙ୍କ ଉପସ୍ଥାନ ପାଇଁ କୁହାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକ ସ୍ଥଳୀକୁ ଛଡ଼ାଯିବ ନାହିଁ।
ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୬ ତାରିଖ ଯାଏ ଚାଲିଥିଲା। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିଲା। ତେବେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗତ ୧୩ ତାରିଖରେ ବଜେଟ୍ ଅଧିବେଶନକୁ ୨୯ ତାରିଖ ଯାଏ ବନ୍ଦ ରଖାଯାଇଥିଲା। ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/lokseva-bhawan-750x430.jpg)