ଆଜି ଜନ୍ମାଷ୍ଟମୀ, କୃଷ୍ଣ ଜନ୍ମ ପାଳନ ପାଇଁ ରାଜ୍ୟ ଉତ୍ସବମୁଖର : ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଜନ୍ମନୀତି, ୫ ଘଂଟା ବନ୍ଦ ରହିବ ସାଧାରଣ ଦର୍ଶନ

136

କନକ ବ୍ୟୁରୋ : ଆଜି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ସେଥିପାଇଁ ମନ୍ଦିର ଗୁଡିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ପାଳନ ପାଇଁ ଆଜି ୫ ଘଂଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଜନ୍ମାଷ୍ଟମୀ ନୀତିକାନ୍ତି ଶେଷ କରିବା ପାଇଁ ସଂଧ୍ୟା ସାଢେ ପାଂଚରୁ ରାତି ସାଢେ ଦଶ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବା ଶ୍ରୀଜଗନ୍ନାଥଙ୍କର ସଂନ୍ଧ୍ୟା ଧୂପ ପରେ ଭିତର କାଠ ନିକଟରେ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ଭଦ୍ରାସନ ଉପରେ ଜନ୍ମନୀତି ଅନୁଷ୍ଠିତ ହେବ ।

 

ଏହାସହ ଆଜି ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଭକ୍ତମାନେ ଉପବାସ ରଖିି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ ପାଳନ କରୁଛନ୍ତି । ସେପଟେ ପୁରୀର ଗୌଡିୟ ମଠଗୁଡିକରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ କରାଯାଉଛି । ଏହା ସହିତ ମଠ ମନ୍ଦିର ଓ ଘରଗୁଡିକରେ ଖୁବ ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ପାଳନ କରିବାକୁ ଶେଷ ହୋଇଛି ପ୍ରସ୍ତୁତି ।

 

ଏପଟେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ସଂପୂର୍ଣ୍ଣ ନୀତିକାନ୍ତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ଶହ ଶହ ଶ୍ରଦ୍ଧାଳୁ ଇସ୍କନ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଏହାସହ ପବିତ୍ର ଜନ୍ମାଷ୍ଟମୀରେ ବ୍ରହ୍ମଗିରର ଅଲାରନାଥଙ୍କୁ କେତକି ଫୁଲ ଲାଗି କରାଯାଇଛି । ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତି ସଂପନ୍ନ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଜଣେ ଭକ୍ତ ଆଣିଥିବା କିଆ କେତକୀ ଫୁଲକୁ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । ସଂଧ୍ୟା ଧୂପ ପରେ ଶ୍ରୀଜୀଉଙ୍କ ଜନ୍ମାଷ୍ଟମୀ ନୀତି ପାଳିତ ହେବ । ଏହି ସମୟରେ ଠାକୁରଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଗଣ୍ଡୁଷ କୋରା ଲାଗି କରାଯିବ । ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।