ଋଥ ଉପରେ ଅଧରପଣା ନୀତି । ପଣା ପାଇ ତୃପ୍ତ ହେବେ ଚଣ୍ଡୀ ଚାମୁଣ୍ଡା ଓ ଅଶରୀରୀ । ଆସନ୍ତା କାଲି ହେବ ନୀଳାଦ୍ରି ବିଜେ

Advertisment
ଋଥ ଉପରେ ଅଧରପଣା ନୀତି । ପଣା ପାଇ ତୃପ୍ତ ହେବେ ଚଣ୍ଡୀ ଚାମୁଣ୍ଡା ଓ ଅଶରୀରୀ । ଆସନ୍ତା କାଲି ହେବ ନୀଳାଦ୍ରି ବିଜେ

କନକ ବ୍ୟୁରୋ : ମହାପ୍ରଭୁଙ୍କ ମାନବୀୟ ଲିଲାଖେଳା ଜାରି ରହିଛି। ନବଦିନାତ୍ନକ ଯାତ୍ରା ସାରି ମହାପ୍ରଭୁ ସିଂହଦ୍ୱାର ସମ୍ମୁଖକୁ ଫେରି ଆସିଛନ୍ତି । ଆଜି ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ଅଧରପଣା ନୀତି ପାଖାପାଖି ୪୫୦ ବର୍ଷର ପୁରୁଣା ପରମ୍ପରା ବୋଲି ବିଶ୍ୱାସ ରହିଛି। ରଥାରୁଢ଼ ଶ୍ରୀବିଗ୍ରହମାନଙ୍କ ଅଧର ପର୍ୟ୍ୟନ୍ତ ହାଣ୍ଡିରେ ପଣା ଭର୍ତି କରାଯାଉଥିବାରୁ ଏହାକୁ ଅଧରପଣା କୁହାଯାଇଥାଏ। ୩ ରଥରେ ୧୨ଟି ତୁମ୍ବାକାର ମାଟି ହାଣ୍ଡିରେ ପଣାଭୋଗ ଲାଗି କରାଯାଏ। ୩ ରଥରେ ୩ ହାଣ୍ଡି ଲେଖାଏଁ ୯ ହାଣ୍ଡି ଭଙ୍ଗା ଯାଇଥାଏ। ଶ୍ରୀବଳଭଦ୍ରଙ୍କ ରଥରେ ରାମ କୃଷ୍ଣଙ୍କ ଉଦେ୍ଦଶ୍ୟରେ ଅଧିର ୨ଟି ସାନ ହାଣ୍ଡି ପଣା ଓ ଶ୍ରୀ ଜଗନ୍ନାଥଙ୍କ ରଥରେ ମଦନମୋହନଙ୍କ ଉଦେଶ୍ୟରେ ଗୋଟିଏ ସାନ ହାଣ୍ଡି ପଣା ଲାଗି ହୁଏ। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହେଇଥାଏ। ପଣାରେ କ୍ଷୀର, ସର, ଛେନା, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଏବଂ ଜଳ ବ୍ୟବହାର କରାଯାଇଥାଏ। ଅଧରପଣା ନୀତି ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ନିକଟରେ ଥିବା ଛାଉଣୀ ମଠ ସମ୍ମୁଖ କୂଅରୁ ଗରାରେ ଜଳ କାଢି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି । ପଣା ପ୍ରସ୍ତୁତି ପରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଟି ହାଣ୍ଡି ଗୁଡ଼ିକରେ ପଣାକୁ ରଖାଯାଏ । ପାଳିଆ ପୂଜାପଣ୍ଡା ସାମନ୍ତ ପଂଚ ଉପଚାରରେ ଦାରୁବିଗ୍ରହଙ୍କୁ ପଣା ଭୋଗ ଅର୍ପଣ କରିଥାନ୍ତି। ଏହାପରେ ଶ୍ରୀଜିଉଙ୍କ ସାମ୍ନାରେ ପଣାହାଣ୍ଡି ଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ । ଏହି ଅଧରପଣାକୁ, ୩ ରଥରେ ବିଜେ ପାର୍ଶ୍ୱ ଦେବାଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତଙ୍କ ଉଦେଶ୍ୟରେ ଉତ୍ସର୍ଗ କାରଯାଇଥାଏ । ଏହା ଦ୍ୱାରା ସେମାନେ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ରଥାରୁଢ ଶ୍ରୀଜୀଉମାନେ ଆସନ୍ତାକାଲି ନୀଳକନ୍ଦରକୁ ବିଜେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe