ଆଜି ଆଡପ ମଣ୍ଡପରେ ବିଜେ ହେବେ ଶ୍ରୀଜିଉ : ଜନ୍ମବେଦୀରୁ ଦର୍ଶନ ଦେବେ ବଡ ଠାକୁର

60

କନକ ବ୍ୟୁରୋ: ଭକ୍ତଙ୍କୁ ଦର୍ଶନ ଦେବା ପାଇଁ କପଟ କରି ବଡଦାଣ୍ଡରେ ଅଟକିଥିବା ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗତକାଲି ଶରଧାବାଲିରେ ପହଞ୍ଚିଛି। ଶନିବାର ବଳଗଣ୍ଡି ସ୍କୁଲ ନିକଟରେ ଅଟକିଥିବା ନନ୍ଦିଘୋଷ ରଥକୁ ଗତକାଲି ଭକ୍ତ ଆନନ୍ଦଉଲ୍ଲାସରେ ଟାଣି ନେଇ ପୂର୍ବାହ୍ନ ୧୦ଟା ପୂର୍ବରୁ ଶରଧାବାଲିରେ ପହଞ୍ଚାଇଥିଲେ। ଶନିବାର ମହାପ୍ରଭୁ ବଳଭ୍ରଦଙ୍କ ତାଳଧ୍ୱଜ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଅପେକ୍ଷା କରି ରହିଥିଲେ। ଗତକାଲି ସମସ୍ତ ତିନି ରଥ ଶରଧାବାଲିରେ ଲାଗିବା ପରେ ହଜାର ହଜାର ଭକ୍ତ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଦିନତମାମ ପ୍ରବଳ ବର୍ଷା ସତ୍ତେ୍ଵ ଭକ୍ତଙ୍କ ଭିଡ କମିନଥିଲା। ଉତ୍ସବମୁଖର ହୋଇ ପଡିଥିଲା ଶରଧାବାଲି। ଲକ୍ଷାଧିକ ଭକ୍ତ ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।

ଆଜି ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ। ତେବେ ଏହି ନୀତି ସନ୍ଧ୍ୟା ପୂର୍ବରୁ ସାରିବାକୁ ପ୍ରସ୍ତୁତି ହୋଇଛି। ଆଜି ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ରହିବେ। ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ଆସନ୍ତାକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ। ଗତକାଲିଠାରୁ ଶରଧାବାଲି-ଶ୍ରୀଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ତିନି ରଥରେ ରଥାରୂଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି। ରଥକୁ ଲାଗି ବ୍ୟାରିକେଡ୍ ଲଗାଯାଇଥିବାରୁ ଭକ୍ତମାନେ ବ୍ୟାରିକେଡରେ ହାତ ଗଳାଇ ରଥକୁ ଛୁଇଁପାରୁଛନ୍ତି। ଏପଟେ ଦାନ ଦକ୍ଷିଣା ନ ଦେବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଉଛି। ତିନି ରଥର ବ୍ୟାରିକେଡ୍ରେ ୧୨ଟି ହୁଣ୍ଡି ଲଗାଯାଇଛି। ଭକ୍ତମାନଙ୍କୁ ଦାନ ଅର୍ଥ ହୁଣ୍ଡିରେ ପକାଇବାକୁ ସୂଚନା ଦିଆଯାଉଛି। ଟ୍ରାଫିକ କଟକଣାକୁ ମଧ୍ୟ କଡାକଡି କରାଯାଇଛି। ମେଡିକାଲ ଛକରୁ କୌଣସି ଗାଡି ଶରଧାବାଲିକୁ ଛଡାଯାଉନାହିଁ।

ଶନିବାର ସିଂହଦ୍ଵାରରୁ ଚୁତୁର୍ଦ୍ଧା ମୂର୍ତ୍ତିଙ୍କୁ ଧରି ବାହାରିଥିବା ତିନି ରଥ ମଧ୍ୟରୁ ବଡ ଠାକୁରଙ୍କ ତାଳଧ୍ୱଜ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ଲାଗିଥିବା ବେଳେ ନନ୍ଦିଘୋଷ ରଥ ଅଟକି ରହିଥିଲେ। ରାତିସାରା ତିନି ରଥରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଗତକାଲି ସକାଳେ ମଙ୍ଗଳଆଳତି ସରିବା ପରେ ପୂର୍ବାହ୍ନ ୯ଟା୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଓ ପୁଲିସ ନନ୍ଦିଘୋଷ ରଥକୁ ଟାଣି ନେଇଥିଲେ। ମାତ୍ର ୩୫ ମିନିଟ ଭିତରେ ରଥ ଶରଧାବାଲିରେ ଲାଗିଥିଲା। ଶରଧାବାଲିରେ ଗତକାଲି ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ସଂପନ୍ନ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡରେ ପାଣି ଜମି ରହିଥିବାରୁ ନଳା-ବର୍ଷା ପାଣି ଏକାକାର ହୋଇ ଯାଇଥିଲା। ଆବର୍ଜନା ପାଣିରେ ପଶି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା।

ସେପଟେ ଶ୍ରୀମନ୍ଦିରକୁ ଯାତ୍ରା ଦେଖିବା ପରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ ହେବ । ବୈଷୟିକ କୋର କମିଟିର ସଦସ୍ୟମାନେ ଶ୍ରୀମନ୍ଦିରରେ ପହଂଚି ଗର୍ଭଗୃହ ଯାଂଚ କରିବେ । ପୂର୍ବାହ୍ନରେ ସ୍ଥିତି ଯାଂଚ ହେବା ପରେ ଅପରାହ୍ନରେ ଏ ସମ୍ପର୍କରେ କମିଟିର ସଦସ୍ୟମାନେ ଏକ ସମୀକ୍ଷା ବୈଠକ ପୁରୀ ଡାକବଙ୍ଗଳାରେ ବସିବ । ଏ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବା ପରେ ଆବଶ୍ୟକ କାମକୁ ଅଗ୍ରାଧିକାର ଭିତିରେ ମରାମତି କରାଯିବ । ଗତ ୪ ତାରିଖ ବୈଠକରେ ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଂଚ ପାଇଁ ନିଷ୍ପତି ହୋଇଥିଲା । ଆଜିଠାରୁ ୨୩ ତାରିଖ ଯାଏଁ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ସରିବ । ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି କାମ ମଧ୍ୟ କରାଯିବ ।