ଲାଞ୍ଚୁଆ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଆଜି ୮ ଜଣଙ୍କୁ ମିଶାଇ ମୋଟ ୧୩୦ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

142

କନକ ବ୍ୟୁରୋ: ଓଏଏସ ରାମଚନ୍ଦ୍ର ଜେନା, ଗୌରାଙ୍ଗ ଚରଣ ମହାନ୍ତି, ଇଂଜିନିୟର ଶ୍ରୀବିଧାନ ଚନ୍ଦ୍ର ସାହୁ । ଦୁର୍ନୀତି କରି ଧରାପଡିଥିବା ଏଭଳି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜନତାଙ୍କୁ ସେବା ସହାୟତା କରିବା ପାଇଁ ଲାଞ୍ଚ ନେଇ ଧରାପଡିଥିବା ଏଭଳି ୮ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହାକୁ ମିଶାଇ ବର୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର ଦିଆଗଲାଣି ।

କୁହାଯାଏ, ଟୋକେଇର ଗୋଟିଏ ପଚା ଆମ୍ବ, ସବୁ ଆମ୍ବକୁ ଖରାପ କରିଦିଏ । ତେଣୁ ଖରାପ ଆମ୍ବକୁ ବାହାର କଲା ଭଳି ଦୁର୍ନୀତିଗ୍ରସ୍ତ, ଅପାରଗ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣେଇ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ବାଧ୍ୟତାମୂଳକ ଅବସର ଦେଇଥିବା ୮ ଅଧିକାରୀଙ୍କ ତାଲିକାରେ ଅଛନ୍ତି ନିମାପଡାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା- ତାଙ୍କ ନାଁରେ ରହିଛି, ୩ଟି ଦୁର୍ନୀତି ଅଭିଯୋଗ । ଭିଜିଲାନ୍ସ ଚଢାଉ ବେଳେ ତାଙ୍କ ପାଖରୁ ୫ଟି ପାନକାର୍ଡ ଓ ୫ ଲକ୍ଷ ଟଙ୍କା ଜବତ ପରେ ନିଲମ୍ବନ କରାଯାଇଥିଲା, ଆଉ ଏବେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର ।

ସେହିପରି ଜଗତସିଂହପୁରର ପୂର୍ବତନ ଡେପୁଟୀ କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୋଧରେ ୭ଟି ଦୁର୍ନୀତି ଅଭିଯୋଗ ରହିଛି । ତା ସହ ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଆଲଫୋନସ ବିଲୁଙ୍ଗ ନାଁରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ ୧୦ଲକ୍ଷ ଟଙ୍କା ଧରି ଘରକୁ ଯାଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଯାହାର ହିସାବ ସେ ଦେଇପାରିନଥିଲେ, ତାଙ୍କ ବାସଭବନରେ ଚଢାଉ କରି ଭିଜିଲାନ୍ସ ବହୁ ପରିମାଣର ଆୟବହିର୍ଭୁତ ସଂପତି ଠାବ କରିଛି ।

ଫାଇଭ ଟି ଜରିଆରେ ରାଜ୍ୟ ସରକାର ସ୍ୱଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଉ ଏହା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ କାଳ ପାଲଟିଛି ।  କଳାହାଣ୍ଡି ଲାଞ୍ଜିଗଡର ବ୍ଲକର ସିଡିପିଓ ମୀନା ପାତ୍ର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ । କଳାହାଣ୍ଡିର ଥୁଆମୁଳ ରାମପୁର ବ୍ଲକର ସିଡିପିଓ ପୁଷ୍ପାଞ୍ଜଳି ରଥ, ଦେବଗଡର ପୂର୍ବତନ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।