ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ୨୪ ଘଂଟାରେ ୯ ଜଣଙ୍କ ପ୍ରାଣ ନେଲା କରୋନା, ୬୯୧ରେ ପହଂଚିଲାଣି କରୋନା ମୃତକଙ୍କ ସଂଖ୍ୟା

200

କନକ ବ୍ୟୁରୋ : କରୋନାରେ ପୁଣି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣ ଥିବା ବେଳେ କଟକ, ପୁରୀ, ରାୟଗଡ଼ା, ଭଦ୍ରକ, ସମ୍ବଲପୁର, ଗଜପତି ଓ ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ବରଗଡ଼ର ଯେଉଁ ୨ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୫ ବର୍ଷ ବୟସ୍କା ମହିଳା ଅଛନ୍ତି। ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୫୨ ବର୍ଷ। ସମ୍ବଲପୁରରେ ଜଣେ ୬୦ ବର୍ଷ ବୟସ୍କା ଓ କଟକରେ ଜଣେ ୭୮ ବର୍ଷ ବୟସ୍କା ମହିଳା ଅଛନ୍ତି। ଅପରପକ୍ଷରେ ପୁରୀ, ଭଦ୍ରକ, ଗଜପତି ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୨, ୩୭ ଓ ୫୫ ବର୍ଷ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୩୭,୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୩୯ ରହିଛି।