ଝାଡଖଣ୍ଡ ସରକାର ଆଣିଲେ ଏମିତି ନିୟମ । ସରକାରୀ ଚାକିରୀ ପାଇଁ ଆବେଦନ ପୂର୍ବରୁ ଦେବାକୁ ହେବ ଏମିତି ସତ୍ୟାପାଠ । ଏପ୍ରିଲ ମାସରୁ ଲାଗୁହେବ ଏହି ଆଇନ୍ ।

2,279

କନକ ବ୍ୟୁରୋ : ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଝାଡଖଣ୍ଡ ସରକାର କହିଛନ୍ତି କି ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଆବଦନ କରିବା ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁନଥିଲେ ଓ ଚାକିରୀ କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ ।
ପୂର୍ବ ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିସ୍ପତ୍ତି ନିଆଯାଇଛି । ଏହାସହ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀ ମାନେ ସେମାନଙ୍କ ଦୋକାନରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ଏହି ବୈଠକରେ ବି ନିସ୍ପତ୍ତି ଗ୍ରହଣ କରାଯାଇଛି ।
ଏଭଳି ନିସ୍ପତ୍ତି ହେବା ପରେ ରାଜ୍ୟସରକାରରେ ମନ୍ତ୍ରୀ ଥିବା ଆଲମଗୀରି ଆଲାମ କହିଛନ୍ତି କି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଥିରେ ସମସ୍ତଙ୍କର ସହମତି ରହିବା ଆବଶ୍ୟକ । ଏହାଦ୍ୱାରା ଆଗାମୀ ପିଢୀକୁ ତମାଖୁ ଭଳି ମାରାତ୍ମକ ଅଭ୍ୟାସରୁ ମୁକୁଳାଯାଇ ପାରିବ । ନ୍ୟାସନାଲ ତମାଖୁ କଣ୍ଟ୍ରୋଲ ପ୍ରୋଗ୍ରାମର ଝାଡଖଣ୍ଡ ରାଜ୍ୟ ନୋଡାଲ ଅଧିକାରୀ ଏଲ୍.ଆର୍ . ପାଠକ୍ କହିଛନ୍ତି କି କମିଟି ଏହି ନିସ୍ପତ୍ତି ନେଇଛି କି ଏହି ଆଇନକୁ ୨୦୨୧ ମସିହା ଏପ୍ରିଲ ମାସରୁ ରାଜ୍ୟରେ ଲାଗୁ କରାଯିବ । ଯାହାଦ୍ୱାରା ଝାଡଖଣ୍ଡ ସରକାରଙ୍କ ଅଧିନରେ ଚାକିରୀ କରିବାକୁ ଥିବା ଆଶାୟୀ ମାନେ ସତ୍ୟପାଠରେ ଉଲ୍ଲେଖ କରିବେ କି ସେମାନେ ପୂର୍ବରୁ କେବେ ତମାଖୁ ସେବନ କରୁ ନଥିଲେ କି ଚାକିରୀ କରିବା ପରେ ତମାଖୁ ସେବନ କରିବେ ନାହିଁ ।
ଅନ୍ୟପଟେ ରାଜ୍ୟସରକାରଙ୍କ ଏଭଳି ନିସ୍ପତ୍ତିକୁ ସ୍ୱାଗତ କରିଛନ୍ତି ଝାଡଖଣ୍ଡ ବିଜେପି ନେତା ଶିବ ପୂଜନ ପାଠକ । ଏହା ସହ ସେ କହିଛନ୍ତି କି କେବଳ ତମାଖୁ ନୁହେଁ ରାଜ୍ୟସରକାରଙ୍କୁ ମଦ ବନ୍ଦ ନେଇ ବି କିଛି ଚିନ୍ତା କରିବାର ଆବଶ୍ୟକତା ରହିଛି । ରାଜ୍ୟକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରିବାକୁ ରାଜ୍ୟସରକାରୀ ଆଗଭର ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି ।