ଲକଡାଉନ୍ ବଢାଇଲା କି ପାରିବାରିକ ହିଂସା ? ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

506

କନକ ବ୍ୟୁରୋ : ଲକଡାଉନ୍ ବଢାଇଲା କି ପାରିବାରିକ ହିଂସା । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବା ବେଳେ ଘରୋଇ ହିଂସା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଘରୋଇ ହିଂସା ରୋକିବାକୁ ମହିଳାଙ୍କ ପାଇଁ ସବୁ ଥାନାରେ ସ୍ୱତନ୍ତ୍ର ନମ୍ବର ଜାରି କରିବ କମିଶନରେଟ୍ ପୋଲିସ ।

ଖାଁ ଖାଁ ରାସ୍ତାଘାଟ । ଦୋକାନ ବଜାର ବନ୍ଦ । ଲକଡାଉନରେ ସାରା ଓଡିଶା । ଘରେ ଅଛନ୍ତି ପ୍ରାୟ ସାଢେ ୪କୋଟି ରାଜ୍ୟବାସୀ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିବା ପାରିବାରିକ ହିଂସା ପ୍ରସଙ୍ଗ ଚିନ୍ତାର ବିଷୟ ପାଲଟିଛି ।

ବଢୁଛି କି ଘରୋଇ ହିଂସା ?

କରୋନା ସ୍ଥିତି ସମୀକ୍ଷା ବେଳେ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଫୋନ କଲ୍ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛନ୍ତି ।

ଲକଡାଉନ୍ ବଢାଇଦେଲା ଘରୋଇ ହିଂସା । ଚୀନରେ ବଢିଥିଲା ଛାଡପତ୍ର ମାମଲା । କରୋନାର ମୁକାବିଲା ପାଇଁ ଜାନୁଆରୀ ଶେଷ ଆଡକୁ ଉହାନରେ ଲକଡାଉନ୍ ଘୋଷଣା କରିଥିଲେ ସରକାର । ଆଉ ଫେବ୍ରୁଆରୀ ୨୪ ତାରିଖ ସୁଦ୍ଧା ଅର୍ଥାତ୍ ମାସକ ମଧ୍ୟରେ ୩ଶହରୁ ଅଧିକ ଛାଡପତ୍ର ମାମଲା ରେଜିଷ୍ଟର ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଲକଡାଉନ ସମୟରେ ହିଁ ୨୫ ପ୍ରତିଶତ ବଢିଯାଇଥିଲା ଛାଡପତ୍ର ମାମଲା ସଂଖ୍ୟା ।

ଏପଟେ ଲକଡାଉନ ସମୟରେ ଓଡିଶାରେ ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଚିନ୍ତା ବଢିଯାଇଛି । ଯେଉଁ ମହିଳାମାନେ ପୂର୍ବରୁ ଘରୋଇ ହିଂସାର ଶିକାର ହେଉଥିଲେ, ଏହି ୨୧ ଦିନ ଭିତରେ ସେମାନଙ୍କ ଅବସ୍ଥା କଣ ହେଉଥିବ ।

ଏହାରି ଭିତରେ ଲକଡାଉନ ସମୟରେ ଘରୋଇ ନିର୍ଯାତନା ଉପରେ କମିଶନରେଟ୍ ପୋଲିସ ନେଇଛି ବଡ ପଦକ୍ଷେପ । ଏଣିକି ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର । ଯଦି କୌଣସି ମହିଳା ଘରେ ନିର୍ଯାତନାର ଶିକାର ହେଉଛନ୍ତି ତେବେ ଏହି ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରି ଅଭିଯୋଗ କଲେ ପୋଲିସ ଘରକୁ ଯିବ । ପ୍ରଥମେ ଅଭିଯୋଗ ନେଇ କାଉନସେଲିଂ କରାଯିବ । ସମାଧାନ ନହେଲେ ମାମଲା ରୁଜୁ କରିବ ପୋଲିସ ।