ଦୀର୍ଘ ଦିନର ନିରବତା ପରେ ପୁଣି ମୁହାଁମୁହିଁ ! ରାହୁଲଙ୍କ ମାଡ଼ ଥିଓରୀର ମୁକାବିଲା ପାଇଁ ମୋଦିଙ୍କ ଯୋଗ ଫର୍ମୁଲା । କହିଲେ, ଅଧିକ ମାଡ ସହିବା ପାଇଁ ସାହାଯ୍ୟ କରିବ ସୂର୍ଯ୍ୟ ନମସ୍କାର ।

602

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ଦିଲ୍ଲୀ ଦଙ୍ଗଲରେ ପୁଣି ମୁହାଁମୁହିଁ ହେଲେ ଦୁଇ ଦଳର ଶୀର୍ଷ ନେତା । ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଦିଲ୍ଲୀରେ ନିର୍ବାଚନ ପ୍ରଚାରବେଳେ ନରେନ୍ଦ୍ର ମୋଦିଙ୍କୁ ନେଇ ରାହୁଲ ଆପତିଜନକ ବୟାନ ଦେଇଥିଲେ । ଆଜି ଲୋକସଭାରେ ଏହାର ଉତ୍ତର ଦେଇଛନ୍ତି ମୋଦି ।

ମୋଦି କହିଛନ୍ତି, ସେ ସ୍ଥିର କରିଛନ୍ତି ଅଧିକ ସୂର୍ଯ୍ୟ ନମସ୍କାର କରିବେ । ଏହାଫଳରେ ପିଠି ଉପରେ ମାଡ ଖାଇବା ପାଇଁ ତାଙ୍କର ସହନଶକ୍ତି ବଢିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ୨୦ ବର୍ଷ ହେଲା ସମାଲୋଚନା ଶୁଣିବା ତାଙ୍କର ଅଭ୍ୟାସ ହୋଇଗଲାଣି ।

ତେବେ ପୂର୍ବରୁ ରାହୁଲ କହିଥିଲେ, ମୋଦି ୬ମାସ ପରେ ଘରୁ ବାହାରି ପାରିବେନାହିଁ । ଭାରତର ଯୁବପୀଢି ତାଙ୍କୁ ବାଡିରେ ମାରିବେ । ଆଉ ଆଜି ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବାବେଳେ ସଂସଦରେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାହୁଲଙ୍କ ଉଦ୍ଦେଶ୍ୟରେ ପରୋକ୍ଷରେ ମୋଦି କହିଛନ୍ତି, ୩୦-୩୫ ମିନିଟ ହେଲା ସେ କହୁଥିଲେ ବି ଏବେ ଯାଇଁ କଂରେଟ ଲାଗିଛି । ଟ୍ୟୁବଲାଇଟ ସହ ଏମିତି ହିଁ ହୋଇଥାଏ ।