ରାଷ୍ଟ୍ରପତିଙ୍କ ଅଶ୍ୱବାହିନୀ ! ଯେଉଁମାନେ ରାଷ୍ଟ୍ରପତିଙ୍କୁ ଛାଇ ଭଳି ଜଗି ରହି ଦେଇଥାନ୍ତି ସୁରକ୍ଷା

104

ଆଜି ପୂରା ଦେଶ ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ଆଉ ଏହି ଅବସରରେ ଭାରତୀୟ ସେନା ଦିଲ୍ଲୀ ରାଜମାର୍ଗରେ ନିଜର ଦମ ଦେଖାଇଛି । ପୂରା ବିଶ୍ୱ ଭାରତୀୟ ସାମରିକ ଶକ୍ତିର ଝଲକ ଦେଖିଛି । ଯବାନ ମାନେ ପରେଡରେ ଦୁଃସାହସିକ ଯୁଦ୍ଧ କୌଶଳ ଦେଖାଇବା ସହ ଦେଶବାସୀଙ୍କ ମନ ଜିଣିଛନ୍ତି । ଆଉ ଏଭଳି ଏକ ସମୟରେ ସମସ୍ତଙ୍କ ନଜର ରାଷ୍ଟ୍ରପତିଙ୍କ ସେହି ଅଶ୍ୱବାହିନୀ ଅଙ୍ଗରକ୍ଷକ ଉପରେ ରହିଥିଲା ଯେଉଁମାନେ ସବୁ ସମୟରେ ଛାଇ ଭଳି ରାଷ୍ଟ୍ରପତିଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ।

ଦୃଢ ଚେହେରା, ପାରମ୍ପରିକ ସୈନ୍ୟ ପୋଷାକରେ ନଜର ଆସୁଥିବା ଏହି ରାଷ୍ଟ୍ରପତିଙ୍କ ଅଶ୍ୱବାହିନୀର ଏହି ସୈନିକ ମାନେ ଖାସକରି ଗଣତନ୍ତ୍ର ଦିବସ ଭଳି ସ୍ୱତନ୍ତ୍ର ଦିବସରେ ନଜର ଆସିଥାନ୍ତି । ଖାସକରି ରାଷ୍ଟ୍ରପତି ଭବନରେ ବିଶେଷ କାର୍ଯ୍ୟକ୍ରମରେ ଏମାନଙ୍କୁ ଦେଖିବାକୁ ମିଳିଥାଏ । ରାଷ୍ଟ୍ରପତିଙ୍କୁ ଚାରିପଡୁ ଘେରି ରହିବା ସହ ସୁରକ୍ଷା ଦେଇଥାନ୍ତି ଏହି ଅଶ୍ୱବାହିନୀ । ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ଅଶ୍ୱବାହିନୀ ବିଷୟରେ କିଛି ।

ରାଷ୍ଟ୍ରପତିଙ୍କ ବଡିଗାର୍ଡ ବା ପିବିଜି:
ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କୁ ଇଂରାଜୀରେ ପ୍ରେସିଡେଣ୍ଟ ବଡିଗାର୍ଡ ବା ପିବିଜି କୁହାଯାଇଥାଏ । ଆଉ ଏହି ୟୁନିଟର ଗଠନ ୨୫୦ ବର୍ଷ ତଳେ ହୋଇଥିଲା । ୧୭୭୩ ମସିହାରେ ବାରେନ ହାଷ୍ଟିଙ୍ଗସ ଭାରତର ଭାଇସରୟ ହେବା ପରେ ସୁରକ୍ଷା ପାଇଁ ଏହି ୟୁନିଟିର ଗଠନ ହୋଇଥିଲା । ସେତେବେଳେ ଯୁଦ୍ଧ କୌଶଳରେ ମାହିର ଥିବା ୫୦ ଜଣ ଲମ୍ବା ଉଚ୍ଚତା ଥିବା ଯବାନଙ୍କୁ ଏହି ଗ୍ରୁପରେ ସାମିଲ କରିଥିଲେ । ଏହାପରେ ବନାରସ ରାଜା ଚୈତ୍ୟ ସିଂ ଆହୁରି ୫୦ ଜଣ ସୈନ୍ୟଙ୍କୁ ଏହି ରେଜିମେଣ୍ଟରେ ସାମିଲ କରିବାରୁ ଗ୍ରୁପର ସଦସ୍ୟଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଏହି ପରମ୍ପରା ଜାରି ରହିଛି । ସ୍ୱାଧୀନତା ପୂର୍ବରୁ ଏହି ରେଜିମେଣ୍ଟ ଭାଇସରୟଙ୍କୁ ସୁରକ୍ଷା ଦେଉଥିବା ବେଳେ ଏବେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ।

ଏହି ରେଜିମେଣ୍ଟରେ ଭାରତୀୟ ସେନାର ବିଭିନ୍ନ ଟ୍ରୁପରୁ ଯବାନ ମାନଙ୍କୁ ଚୟନ କରାଯାଇଥାଏ । ଯେଉଁମାନଙ୍କୁ ପାରା ଟ୍ରେନିଂ ସମେତ ବିଭିନ୍ନ ଯୁଦ୍ଧ କୌଶଳର ପ୍ରଶିକ୍ଷଣ ଦିଆଯାଇଥାଏ । ତେବେ ଏମାନେ ଘୋଡାରେ ବସି ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଉଥିବାରୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି । ପ୍ରତି ଯବାନ ମାନେ ଅଶ୍ୱଚାଳନାରେ ମହାରଥ ହାସଲ କରିଥାନ୍ତି । ଏହି ଘୋଡା ଗୁଡିକ ମଧ୍ୟ ଅନ୍ୟ ଘୋଡାଙ୍କ ଅପେକ୍ଷା ଦେଖିବାକୁ ଖୁବ୍ ସୁନ୍ଦର । ପାଖାପାଖି ୫୦୦ କିଲୋଗ୍ରାମର ଏହି ଘୋଡା ଗୁଡିକ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ଦୌଡି ପାରନ୍ତି ।

ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ମାନେ ମଧ୍ୟ ଦିନର ଆରମ୍ଭ ଅଶ୍ୱ ସହିତ କରିଥାନ୍ତି । ଏହି ଯବାନ ମାନେ ଅଶ୍ୱଚାଳନାରେ ଏତେ ମାହିର ଥାନ୍ତି ଯେ, ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ମଧ୍ୟ ଲଗାମ ନ ଧରି ଅଶ୍ୱଚାଳନା କରିପାରନ୍ତି । ରାଷ୍ଟ୍ରପ୍ରତି ଭବନକୁ କୌଣସି ମାନ୍ୟଗଣ ଅତିଥି ଆସିଲେ ସେମାନଙ୍କୁ ସ୍ୱାଗତ କରିବାକୁ ଏମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାନ୍ତି । ଏହାଛଡା ରାଷ୍ଟପ୍ରତି ଯେବେ ରାଷ୍ଟ୍ରୀୟ ଧ୍ୱଜ ଅଶ୍ୱବାହିନୀକୁ ଦେଇଥାନ୍ତି ତାହା ଏମାନଙ୍କ ପାଇଁ ବେଶ ଖାସ୍ ହୋଇଥାଏ ।

ରାଷ୍ଟ୍ରପତିଙ୍କ ଅଶ୍ୱବାହିନୀରେ ସାମିଲ ଥିବା ଯବାନ ମାନେ ଏତେ ଦକ୍ଷ ଯେ, ଦେଶରେ ଯେକୌଣସି ସ୍ଥାନରେ ମଧ୍ୟ ଏମାନଙ୍କୁ ପୋଷ୍ଟିଂ କରାଯାଇପାରିବ । ସିଆଚେନର ମାଇନସ ଡିଗ୍ରୀ ତାପମାତ୍ରା ଠାରୁ ଆରମ୍ଭ କରି ରାଜସ୍ଥାନର ଅସହ୍ୟ ଖରାରେ ମଧ୍ୟ ଏମାନେ ବେଶ ସହଜରେ ଦେଶ ପାଇଁ କାମ କରିପାରିବେ । ଏଥିପାଇଁ ଏମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥାଏ । ତେବେ ପିବିଜି ଗ୍ରୁପରେ ୬ ଫୁଟରୁ ଅଧିକ ଉଚ୍ଚତା ଥିବା ଯବାନ ମାନଙ୍କୁ ସାମିଲ କରାଯାଇଥାଏ । ଏହି ମର୍ଯ୍ୟାଦାପୂର୍ଣ୍ଣ ରେଜିମେଣ୍ଟରେ ସାମିଲ ହେବାକୁ ଯବାନ ମାନେ ଦୀର୍ଘ ଦିନ ଧରି ପ୍ରତୀକ୍ଷା କରିଥାନ୍ତି । କିଛି ଦିନ ପୂର୍ବରୁ ଏହି ରେଜିମେଣ୍ଟର ୯ଟି ପୋଷ୍ଟରେ ପୋଷ୍ଟିଂ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଥିଲା । ଯାହା ଦର୍ଶାଉଥିଲା ଏହି ରେଜିମେଣ୍ଟ ଭାରତୀୟ ଯବାନଙ୍କ କେତେ ଗୁରୁତ୍ୱପୂର୍ଣ୍ଣ ।