କନକ ବ୍ୟୁରୋ: ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉତର ଓ ଉପକୂଳ ଓଡିଶା ସମେତ କେନ୍ଦ୍ରୀୟ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ଲଘୁଚାପ ଅଧିକ ଘନୀଭୂତ ହେଉଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ।
ତେବେ ରେଡ ଆଲର୍ଟ ଜାରି ହୋଇଥିିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଦେବଗଡ, ସୁବର୍ଣ୍ଣପୁର, ଅନୁଗୁଳ, ବରଗଡ , ଝାରସୁଗୁଡା , ସୁନ୍ଗରଗଡ ଏବଂ ଢେଙ୍କାନାଳ । । ଏହି ଜିଲ୍ଲାଗୁଡିକରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ ।
ସେହିଭଳି ୧୪ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଂଜ, ବୌଦ୍ଧ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର । ଏହି ଜିଲ୍ଲାଗୁଡିକରେ ମଧ୍ୟ ଲଘୁଚାପ କାରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।