ଚୀନର ନୂଆ ଚାଲ୍ । ଭିସା ଦେବା ପାଇଁ ବେଜିଂର ନୂଆ ନିୟମ । ଚୀନକୁ ପ୍ରବେଶ କରିବା ଭିସା ପାଇବାକୁ ହେଲେ ନେବାକୁ ପଡିବ ଚୀନ୍ ନିର୍ମିତ କରୋନା ଟିକା ।

139

କନକ ବ୍ୟୁରୋ: ମହାମାରୀ କରୋନା ସମୟରେ ପୁଣି ଚାଲ୍ ଖେଳୁଛି ଚୀନ୍ । ଆମେରିକା, ଭାରତ ଓ ପାକିସ୍ତାନ ଭଳି କିଛି ଦେଶ ପାଇଁ ସୀମାରେ ଲଗାଯାଇଥିବା କଟକଣାକୁ କୋହଳ କରିଛି ବେଜିଂ । କିନ୍ତୁ ଚୀନକୁ ପ୍ରବେଶ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ବେଜିଂ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଯଦି କୌଣସି ବିଦେଶୀ ନାଗରିକ ଚୀନ୍ରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଚୀନ୍ରେ ବିକଶିତ ହୋଇଥିବା କୋଭିଡ ଟିକା ନେବା ବାଧ୍ୟତାମୂଳକ କରାଯାଇଛି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁମାନେ ଚୀନର କରୋନା ଟିକା ନେଇଥିବେ କେବଳ ସେମାନଙ୍କୁ ବେଜିଂରେ ପ୍ରବେଶ କରିବା ପାଇଁ ଭିସା ମିଳିବ । ବିଭିନ୍ନ ରାଷ୍ଟ୍ରରେ ଥିବା ଚୀନ୍ ଦୂତାବାସକୁ ଜାରି ନିର୍ଦ୍ଦେଶନାମାରେ ଚୀନ୍ ସରକାର କିଛି ନିର୍ଦ୍ଧିଷ୍ଟ ବିଦେଶୀ ନାଗରିକଙ୍କୁ ବେଜିଂ ପ୍ରବେଶ ପାଇଁ ଭିସା ଦେଇପାରିବେ ବୋଲି କହିଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଯେଉଁମାନେ ଚୀନରେ ନିର୍ମିତ କରୋନା ଟିକା ନେଇଥିବେ, ସେମାନଙ୍କୁ ହିଁ ଦୂତାବାସ କ୍ଷରୁ ଭିସା ପ୍ରଦାନ କରାଯିବ ।

ଭିସା ପାଇଁ ଆବେଦନ କରିଥିବା ଲୋକମାନେ ଟିକାର ଦୁଇଟି ଯାକ ଡୋଜ ନେଇ ସାରିଥିବେ କିମ୍ବା ଅତିକମରେ ଆବେଦନର ୧୪ଦିନ ପୂର୍ବରୁ ଟିକାର ପ୍ରଥମ ଡୋଜ ନେଇଥିବେ । ଭାରତୀୟ ନାଗରିକ ଯେଉଁମାନେ ଚୀନ୍ ଯିବାକୁ ଚାହୁଁଥିବେ ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ହେଲେ ଭାରତରେ ଏଯାଏଁ କୌଣସି ଚୀନ୍ କରୋନା ଟିକାକୁ ବ୍ୟବହାର ଅନୁମତି ମିଳିନାହିଁ । ତେଣୁ ଭାରତରୁ ଚୀନ୍ ଯିବାକୁ ଚାହୁଁଥିବା ଲୋକେ ସମସ୍ୟାର ସମ୍ମୁଖିନ ହେବାର ଆଶଙ୍କା ରହିଛି ।

ଚୀନ୍ ପ୍ରସ୍ତୁତ କରିଥିବା କରୋନା ଟିକା ତୁର୍କୀ, ଇଣ୍ଡୋନେସିଆ ଓ କମ୍ବୋଡିଆ ଭଳି ଏକାଧିକ ଦେଶରେ ବ୍ୟବହାର ହେଉଛି । ସେପଟେ ଅନେକ ରାଷ୍ଟ୍ର ଚୀନ୍ ଟିକା ଉପରେ ଭରସା କରୁନଥିବାରୁ ଏହାର ବ୍ୟବହାର ପାଇଁ ଅନୁମତି ଦେଇନାହାନ୍ତି । ଏପରି ସ୍ଥିତିରେ ଚୀନ୍ ଭିସା ପାଇଁ ନିଜ ଦେଶର ଟିକା ବାଧ୍ୟତାମୂଳକ କରିଥିବା ସମସ୍ତଙ୍କ ଚିନ୍ତା ବଢାଇଛି ।