ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ : କେନ୍ଦ୍ର ସରକାର, ଟ୍ୱିଟର କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ହିଂସାକୁ ପ୍ରୋତ୍ସାହନ ଦେଉଥିବା ବିଷୟବସ୍ତୁ ଓ ବିଜ୍ଞାପନକୁ ବୋଗସ ଆକାଉଣ୍ଟ ମାଧ୍ୟମରେ ଯାଞ୍ଚ କରିବାକୁ ନୋଟିସ୍

73

କନକ ବ୍ୟୁରୋ : ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ । ଟ୍ୱିଟର‌ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଜରିଆରେ ପ୍ରସାରିତ ଅସତ୍ୟ ସମ୍ବାଦ ଓ ବିଦ୍ୱେଷାତ୍ମକ ବାର୍ତ୍ତା, ବିଦ୍ରୋହ ଓ ଉତ୍ତେଜନା ସୃଷ୍ଟିକାରୀ କଥାବସ୍ତୁ ରୋକିବାକୁ ବ୍ୟବସ୍ଥା ବା ଜ୍ଞାନକୌଶଳ ବାହାର କରିବା ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ ଭାରତ ସରକାର ଓ ଟ୍ୱିଟର ‌କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ଏ ସଂକ୍ରାନ୍ତରେ ବିଜେପି ନେତା ବିନୀତ ଗୋଏଙ୍କା ଗତ ବର୍ଷ ମେ ମାସରେ ଏକ ଏକ ପିଟିସନ୍‌ ଦାଏର କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଅସତ୍ୟ ସମ୍ବାଦ ଜରିଆରେ ବିଦ୍ୱେଷ ବିସ୍ତାର କରୁଥିବା ଟ୍ୱିଟର‌ ପୋଷ୍ଟ ଏବଂ ବିଜ୍ଞାପନ ଆଦିକୁ ପ୍ରତିହତ କରିବା ନିମନ୍ତେ କିଛି ଜ୍ଞାନକୌଶଳ ଉଦ୍ଭାବନ କରାଯାଉ । ଏହାଛଡ଼ା, ଜାଲ‌ ଆକାଉଣ୍ଟ‌ ମାଧ୍ୟମରେ ପରିବେଶିତ ବିଭ୍ରାନ୍ତକାରୀ ବାର୍ତ୍ତା ସବୁକୁ ପ୍ରତିରୋଧ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉ ।

ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା ଯେ, ଖ୍ୟାତନାମା ଏବଂ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ନାମରେ ଟ୍ୱିଟର‌ ହ୍ୟାଣ୍ଡଲ୍‌ ଏବଂ ଫେସ୍ବୁକ‌ରେ ଶହ ଶହ ଜାଲ୍‌ ଆକାଉଣ୍ଟ‌ ରହିଛି। ଏ ସଂକ୍ରାନ୍ତରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବିଶେଷକରି ନିର୍ବାଚନ ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବା ଲାଗି ରାଜନୈତିକ ଦଳ ସବୁ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡିକୁ ବ୍ୟବହାର କରୁଛନ୍ତି ବୋଲି ବିଜେପି ନେତା ବିନୀତ କହିଛନ୍ତି ।