କନକ ବ୍ୟୁରୋ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡରେ ଇଡି ଆତଙ୍କ । ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର, କମିଡି କିଙ୍ଗ୍ କପିଶ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରେଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି ।
ଏମାନଙ୍କର ଭୂମିକା କ'ଣ, କିଭଳି ଠକେଇରେ ଏମାନଙ୍କର ସମ୍ପୃକ୍ତି ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମାସ ଫେବୃଆରୀ ମାସରେ ଦୁବାଇର ଏକ ବିବାହ ଉତ୍ସବରେ ଏହି ଫିଲ୍ମ ଷ୍ଟାରମାନଙ୍କୁ ନାଚଗୀତ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା । ଏହି ବିବାହ ଉତ୍ସବରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାକୁ ନେଇ ଇଡି ଖୋଳତାଡ କରିବା ପରେ ଠକେଇ ସମ୍ପର୍କରେ ସୁରାକ ପାଇଥିଲା ।
ସୌରଭ ଚନ୍ଦ୍ରାକର ନାମକ ଛତିଶଗଡର ଜଣେ ୨୮ ବର୍ଷିୟ ଯୁବକଙ୍କ ବିବାହ ଉତ୍ସବରେ ଦୁବାଇରେ କରାଯାଇଥିଲା । ସୌରଭ ତାର ସହଯୋଗୀ ରବି ଉପ୍ପଲ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ । ଅନଲାଇନରେ କ୍ରିକେଟ, ଫୁଟବଲ, ଟେନିସ୍, ବ୍ୟାଡମିଂଟନ, କାର୍ଡ ଗେମ୍ସ ଆଦି ଖେଳ ଖେଳି ରୋଜଗାର କରିବାକୁ ଏହି ୱେବସାଇଟ ମାଧ୍ୟମରେ ପ୍ରଲୋଭିତ କରାଯାଇଥିଲା । ଅନଲାଇନ ବେଟିଂରେ ସଂସ୍ଥା ଦିନକୁ ୨୦୦ କୋଟରୁ ଅଧିକ ଆୟ କରୁଥିଲା ।
ଅନଲାଇନ୍ ବେଟିଂର ଶିକାର ଶତାଧିକ ଲୋକ ଅଭିଯୋଗ କରିବା ପରେ ଇଡି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଇଡି ଏହି ମାମଲାରେ କୋଲକାତା ଓ ମୁମ୍ବାଇ ସମେତ ୩୯ଟି ସ୍ଥାନରେ ଚଢ଼ଉ କରି ୪୧୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ସଂସ୍ଥାର ମାଲିକ ସେଭେ ଏବଂ ରବିକୁ ଧରିବା ଲାଗି ଇଡି ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି । କିନ୍ତୁ ସେମାନେ ବିଦେଶରେ ଲୁଚିଥିବା ଜଣାପଡ଼ିଛି । ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ଥିବା ବେଳେ ଏହାର ନେଟୱର୍କ ଭାରତ ସମେତ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଅନ୍ୟ କେତେକ ଦେଶକୁ ଲମ୍ବିଛି ।
ତଦନ୍ତ ବେଳେ ଆହୁରି ଜଣାପଡ଼ିଛି ଯେ ସୌରଭ ଭିଲାଇରେ ଫଳରସ ଦୋକାନ ଦେଇଥିବା ବେଳେ ରବି ଟାୟର ଦୋକାନ ଦେଇଥିଲା । ୪ ବର୍ଷ ତଳେ ସେମାନେ ଦୁବାଇ ଯାଇଥିବା ବେଳେ ଜଣେ ସ୍ଥାନୀୟ ନାଗରିକ ଏବଂ ଜଣେ ପାକିସ୍ତାନୀ ନାଗରିକଙ୍କୁ ଭେଟିଥିଲେ। ଅନଲାଇନ୍ ବେଟିଂ ଜରିଆରେ କେମିତି ଶହ ଶହ କୋଟି ରୋଜଗାର ହୋଇପାରିବ ତାହା ସେମାନେ ସେଠାରେ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ଏହା ପରେ େସମାନେ ଆପ୍ ସଂସ୍ଥା ସ୍ଥାପନ କରିଥିଲେ ।
ଏହି ବ୍ୟବସ୍ଥାରେ ୪ ହଜାର ପାନେଲ ଅପରେଟର ଥିବା ବେଳେ ପ୍ରତ୍ୟେକ ଅପରେଟର ଅତିକମରେ ୨୦୦ ଗ୍ରାହକ ଯୋଗାଡ଼ କରୁଥିଲେ । ଗ୍ରାହକ ଅର୍ଥ ଜମା ଦେଇ ବେଟିଂରେ ଅଂଶଗ୍ରହଣ କରୁଥିଲେ । କିଛି ଗ୍ରାହକ ଅର୍ଥ ରୋଜଗାର କରୁଥିବା ବେଳେ ଅଧିକାଂଶ ଗ୍ରାହକ ଅର୍ଥ ହରାଉଥିଲେ । ଏହି ଅନଲାଇନ୍ ଗେମ୍ ଖୁବ୍ କମ୍ ଦିନରେ ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ସଂସ୍ଥାର ଦୁଇ ମାଲିକଙ୍କ ନାମ ବେଟିଂ ଦୁନିଆରେ ଯୋଡ଼ି ହୋଇଯାଇଥିଲା ।