ପଶ୍ଚିମବଙ୍ଗରେ ତେଜିଲା ଦଳବଦଳ ରାଜନୀତି: ଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ, ମମତାଙ୍କୁ ଶକ୍ତ ଝଟକା

ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ତୃଣମୂଳ କଂଗ୍ରେସର ୫ ଦିଗଗଜ ନେତା । ଆଜି ହାୱାଡାରେ ସ୍ମୃତି ଇରାନୀଙ୍କ ରାଲିରେ ବି ହେବେ ସାମିଲ

118

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହେଉଛି । ତୃଣମୂଳ କଂଗ୍ରେସର ୩ ବିଦ୍ରୋହୀ ବିଧାୟକଙ୍କ ସମେତ ୫ ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୫ ଜଣ ଟିଏମସି ନେତା ପଦ୍ମଦଳରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି, ମମତା ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଧାୟକ ରାଜୀବ ବାନାର୍ଜୀ ଓ ଟିଏମସିରୁ ବହିଷ୍କୃତ ନେତା ପ୍ରବୀର ଘୋଷାଲ, ବୈଶାଳୀ ଡାଲମିଆଁ ।

ସେହିପରି ହାୱଡାର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତି ଓ ପାର୍ଥସାରଥୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କୁହାଯାଉଛି, ଆଜି ହାୱଡାରେ ହେବାକୁ ଥିବା ସ୍ମୃତି ଇରାନୀଙ୍କ ରାଲିରେ ଏହି ୫ ନେତା ସାମିଲ ହେବେ । ପୂର୍ବରୁ ଜାନୁୟାରୀ ୩୦ ଓ ୩୧ରେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ ୫ ନେତା ବିଜେପିରେ ସାମିଲ ହେବେ ବୋଲି ଶୁଣାଯାଉଥିଲା । ହେଲେ କୃଷକ ଆନ୍ଦୋଳନ ଓ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଯୋଗୁଁ ଶେଷ ମୁହୂର୍ତ୍ତରେ ଅମିତ ଶାହାଙ୍କ ଗସ୍ତ ବାତିଲ ହୋଇଥିଲା । ହେଲେ ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତାଙ୍କ ମିଶ୍ରଣ ପର୍ବରେ କୌଣସି ପ୍ରଭାବ ପଡିନଥିଲା ।

ଏକ ସ୍ୱତନ୍ତ୍ର ବିମାନରେ ରାଜୀବ ବାନାର୍ଜୀ, ପ୍ରବୀର ଘୋଷାଲ, ବୈଶାଳି ଡାଲମିଆଁ ସମେତ ୫ ଜଣ ନେତା ଦିଲ୍ଲୀ ଯାଇ ଶାହାଙ୍କ ଉପସ୍ଥିତିରେ ଗୈରିକ ଦଳରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଥାଇ ଅମିତ ଶାହା ଚାଳନା କରିଥିବା ବିଚକ୍ଷଣ ରାଜନୈତିକ ଗୋଟି ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା ଦେଇଛି । ସେପଟେ ଟିଏମସି ନେତା ବିଜେପିରେ ସାମିଲ ହେବା ଘଟଣାକୁ ନେଇ ଟିଏମସିର ପ୍ରତିକ୍ରିୟା ଆସିଛି । ବରିଷ୍ଠ ସାଂସଦ ସ୍ୱାଗତ ରୟ କହିଛନ୍ତି, ଯେଉଁମାନେ ଦଳ ଛାଡି ଯାଇଛନ୍ତି, ସେମାନଙ୍କ କୌଣସି ଲମ୍ବା ରାଜନୈତିକ ଇତିହାସ ନାହିଁ । ଏନେଇ ଆଗକୁ ତୃଣମୂଳ କଂଗ୍ରେସ ସତର୍କ ରହିବ । ସେହିପରି ମମତା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ କହିଛନ୍ତି, ଯଦି କେହି ଦଳରୁ ଯିବାକୁ ଚାହୁଁଛି, ତେବେ କଣ କରାଯିବ । ଆମେ ଏକ ବଡ ଦଳ । ଅସନ୍ତୁଷ୍ଟ ନେତାଙ୍କୁ ସେନା ଲଗାଇ ତ ରୋକି ହେବ ନାହିଁ ।