ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି: କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦେଲେ ମମତା ବାନାର୍ଜୀ!

92

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଫେଲ ମାରିଛି ‘ଇଣ୍ଡିଆ’ ମେଂଟ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇପାରିନାହିଁ । ଫଳରେ ଆଜି ଏକତରଫା ଭାବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଗଡ଼ କୁହାଯାଉଥିବା ବହରାମପୁର ଆସନରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳ ଟିକେଟ୍ ଦେଇଛି । ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଂଜନ ଚୌଧୁରୀଙ୍କ ବିରୋଧରେ ଲଢିବେ । ତେବେ ଦିନେ ଓଡିଆ ଫିଲ୍ମରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ମମତା ।

ଗତବର୍ଷ ଜୁଲାଇ ୧୮ରେ ବେଙ୍ଗାଳୁରୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଗୋଟିଏ ମଂଚରେ ବସି ମୋଦୀ ବିରୋଧୀ ଇଣ୍ଡିଆ ମେଂଟର ମୂଳଦୁଆ ପକାଇଥିଲେ ମମତା ବାନାର୍ଜୀ । ହେଲେ ମାତ୍ର ୭ ମାସ ପରେ ଟିଏମସି ମୁଖ୍ୟଙ୍କ ବଦଳି ଯାଇଛି ଆଭିମୁଖ୍ୟ । କଂଗ୍ରେସ ବିରୋଧରେ ଲୋକସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ ଦେଇଛନ୍ତି ଦିଦି । କଂଗ୍ରେସର ଗଡ଼ କୁହାଯାଉଥିବା ବହରାମପୁର ଆସନରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳ ଟିକେଟ୍ ଦେବ ବୋଲି ଘୋଷଣା କରିଛି । ୨୦୧୯ରେ ଏହି ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଆସନରେ ବସିଥିଲେ ଅଧିର ରଞ୍ଜନ ଚୌଧୁରୀ ।

ଅନେକ ବାଦ ବିବାଦ ସତ୍ୱେ ପୁଣି ମହୁଆ ମୋଇତ୍ରାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମମତା ବାନାର୍ଜୀ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମହୁଆ ଛନ୍ଦି ହେବା ପରେ ମଧ୍ୟ ମମତା ତାଙ୍କ ସହ ଛିଡା ହୋଇଥିଲେ । ଆଉ ଏବେ ୨୦୨୪ ଲୋକସଭା ନିର୍ବାଚନରେ କୃଷ୍ଣାନଗର ଆସନରୁ ତାଙ୍କୁ ରିପିଟ କରିବାକୁ ନେଇଛନ୍ତି ନିଷ୍ପତି । ସେହିପରି କଂଗ୍ରେସରୁ ବିଜେପି ଦେଇ ଟିଏମସିରେ ପହଂଚିଥିବା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ମଧ୍ୟ ଆସୋନସୋଲରୁ ବାଜି ଲଗାଇଛନ୍ତି ଦିଦି । ଅଭିନେତାରୁ ନେତା ବନିଥିବା ଏହି ବିହାରୀ ବାବୁଙ୍କୁ ଟକ୍କର ଦେବାପାଇଁ ବିଜେପି ଆସାନସୋଲରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେପି ଟିକେଟକୁ ଅଗ୍ରାହ୍ୟ କରିଥିଲେ । ପ୍ରତିଥର ମମତାଙ୍କ ପେଡିରେ ଥାଏ କିଛି ସରପ୍ରାଇଜ୍ । ଗତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ନୁସରତ ଜାହାଁ, ମିମି ଚକ୍ରବର୍ତୀଙ୍କୁ ଲୋକସଭା ପ୍ରାର୍ଥୀ କରି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ ଟିଏମସି ମୁଖ୍ୟ । ଏବେ ପୁଣି ସେହିଭଳି ଜଣେ ସରପ୍ରାଇଜ ଚେହେରା ସାମ୍ନାକୁ ଆଣିଛନ୍ତି । ଏକାଧିକ ବଙ୍ଗାଳୀ ଏବଂ ଓଡିଆ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହିଗୁଳି ଆସନରୁ ଲୋକସଭା ପଠାଇବାକୁ ସ୍ଥିର କରିଛନ୍ତି ଦିଦି । ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଥିବା ରଚନା ବାନାର୍ଜୀଙ୍କ ନାଁ ଘୋଷଣା ହେବା ପରେ ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ବଡକଥା ହେଉଛି ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଆଉ ଲୋକସଭା ପ୍ରାର୍ଥୀ ଘୋଷଣା ବେଳେ ମମତାଙ୍କ ସହ ମଂଚରେ ଥିଲେ ଦିଦିଙ୍କ ରାଜନୈତିକ ଉତରାଧିକାରୀ କୁହାଯାଉଥିବା ପୁତୁରା ଅଭିଷେକ ବାନାର୍ଜୀ । ଯାହା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଡ ବାର୍ତା ଦେଉଛି ।