ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ । କେ, ସୁରେଶଙ୍କ ନାମାଙ୍କନ ଉପରେ ଟିଏମସି ସାଂସଦ କଲେନାହିଁ ହସ୍ତାକ୍ଷର

3,651

କନକ ବ୍ୟୁରୋ : ଲୋକସଭାରେ ୨୦୧୪ ଓ ୨୦୧୯ର ସ୍ଥିତି ବଦଳିଯାଇଛି । ୨୦୨୪ ରେ ମଜବୁତ ହୋଇଛି ବିରୋଧୀ । ଏବେ ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ଏନଡିଏ ମେଣ୍ଟ ତରଫରୁ ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ତରଫରୁ ୮ ଥରର ସାଂସଦ କେ,ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହେଲେ ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାଁନ୍ତି ମେଣ୍ଟ ସହଯୋଗୀ ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

ସୂଚନା ମୁତାବକ କଂଗ୍ରେସ ତରଫରୁ ଇଣ୍ଡିଆ ମେଣ୍ଟରୁ କେ.ସୁରେଶଙ୍କୁ ପ୍ରାର୍ଥୀ କରାଯିବା ପରେ ଟିଏମସି ଅସନ୍ତୁଷ୍ଟ ରହିଛି । ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ କହିବା କଥା ପ୍ରାର୍ଥୀ ଘୋଷଣା ପୂର୍ବରୁ ମେଣ୍ଟ ତରଫରୁ ଟିଏମସି ସହ କୌଣସି ପରାମର୍ଶ କରାଯାଇ ନାହିଁ । ଏହି କାରଣରୁ କେ. ଓୁରେଶଙ୍କ ନାମାଙ୍କନ ଉପରେ ବିରୋଧୀ ମେଣ୍ଟର ସମସ୍ତ ସାଂସଦ ହସ୍ତାକ୍ଷର କରିଥିବା ବେଳେ ଟିଏମସିର କୌଣସି ସାଂସଦ ହସ୍ତାକ୍ଷର କରିନାହାଁନ୍ତି ।

ସେପଟେ ଲୋକସଭାରେ ସଂଖ୍ୟା ଗଣିତକୁ ଯଦି ଦେଖାଯିବ ତେବେ ଏନଡିଏ ପାଖରେ ୨୯୩ ସଂଖ୍ୟା ବଳ ଥିବା ବେଳେ ଇଣ୍ଡିଆ ମେଣ୍ଟ ପାଖରେ ୨୩୩ ସାଂସଦଙ୍କ ସମର୍ଥନ ରହିଛି । ଏହାସହ ୭ ଜଣ ସ୍ୱାଧୀନ ସାଂସଦ ଓ ଅନ୍ୟାନ୍ୟ ଦଳରୁ ୧୬ ଜଣ ସାଂସଦ ରହିଛନ୍ତି । ସବୁକୁ ଯଦି ମିଶାଇ ଦିଆଯିବ ତେବେ ଇଣ୍ଡିଆ ମେଣ୍ଟକୁ ୨୫୬ ସାଂସଦଙ୍କ ସମର୍ଥନ ମିଳିପାରେ । ସେପଟେ ଏନଡିଏ ମେଣ୍ଟ ପାଖରେ ୨୯୩ ସାଂସଦଙ୍କ ସମର୍ଥନ ଥିବାରୁ ଓମ୍ ବିର୍ଲା ସହଜରେ ବାଚସ୍ପତି ନିର୍ବାଚନ ଜିତିଯାଇପାରନ୍ତି ।