କନକ ବ୍ୟୁରୋ : ଦିନେ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି), କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ) ସହ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ଝଟକା ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ତିନି ଦଳ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ରେଜ ବଢିବାରେ ଲାଗିଛି । ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିବାରେ ସଫଳ ହୋଇଥିବା ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିଛି । ନିର୍ବାଚନ କମିଶନରଙ୍କ ଏଭଳି ଘୋଷଣା ପରେ କେଜ୍ରିୱାଲ କହିଛନ୍ତି,

Advertisment

ଦେଶରେ ମୋଟ ୧୩ଶହ ରାଜନୈତିକ ଦଳ ରହିଛନ୍ତି, ୧୩୦୦ ଦଳରୁ ୬ ଟି ଜାତୀୟ ଦଳ ରହିିଛି, ୬ଟିରୁ ୩ ଟି ଦଳ ଅଛି ଯାହାର ଏକରୁ ଅଧିକ ରାଜ୍ୟରେ ସରକାର ଅଛି, ଉକ୍ତ ୩ ଦଳ ମଧ୍ୟରେ ଆପ୍ ରହିଛି

କେମିତି ମିଳେ ଜାତୀୟ ଦଳ ମାନ୍ୟତା?
- ଦଳ ନିଶ୍ଚିତ ଭାବେ ୪ ଟି ରାଜ୍ୟରେ ୬ ପ୍ରତିଶତରୁ ଅଧିକ ବୈଧ ଭୋଟ ପାଇଥିବ
- ଏଥିସହ ଉକ୍ତ ଦଳର ଅତି କମରେ ୪ ଜଣ ଲୋକସଭା ସାଂସଦ ରହିଥିବେ
- ଏହା ବ୍ୟତୀତ କୌଣସି ଦଳ ୩ଟି ରାଜ୍ୟର ଲୋକସଭା ଆସନରୁ ୨ପ୍ରତିଶତ ଜିତିବା ଦରକାର
- ଯଦି କୌଣସି ଦଳ ୪ଟି ରାଜ୍ୟରେ ଆଂଚଳିକ ଦଳର ମାନ୍ୟତା ପାଏ

ଆପକୁ ଜାତୀୟ ଦଳ ମାନ୍ୟତା ମିଳିବା ଉଭୟ ବିଜେପି ଏବଂ କଂଗ୍ରେସର ଚିନ୍ତା ବଢାଇଥିବା କୁହାଯାଉଛି । କାରଣ ଏବେ କଂଗ୍ରେସର ଭୋଟ ହାତେଇ ବିଜେପିକୁ ଟକ୍କର ଦେଉଛି ଏଏପି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସଫଳ ପ୍ରଦର୍ଶନକୁ ନେଇ ଉତ୍ସାହିତ ଅଛନ୍ତି ଆପ, ନେତା ଓ କର୍ମୀ । ଦିଲ୍ଲୀ, ପଞ୍ଜାବ ବ୍ୟତୀତ ଗୋଆ, ଗୁଜରାଟରେ ଦଳର ପଦର୍ଶନକୁ ଦେଖି ଆପକୁ ଜାତୀୟ ଦଳ ମାନ୍ୟତା ଦେଇଛନ୍ତି ନିର୍ବାଚନ କମିଶନ । ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ପଢିବ ବୋଲି କହିଛି ଆପ୍ । କିନ୍ତୁ ଏହାକୁ ସମାଲୋଚନା କରିଛି ବିଜେପି । ଯଦି ଦୁର୍ନୀତିଗ୍ରସ୍ତ ଦଳ ଜାତୀୟ ଦଳର ମାନ୍ୟତା ପାଏ ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସେହେଯାଦା ପୁନେୱାଲା ।

ଦେଶରେ ବିଜେପି, କଂଗ୍ରେସ, ସିପିଆଇ(ଏମ), ବିଏସପି, ଏନପିପି, ଏଏପି ୬ ଟି ଜାତୀୟ ଦଳ ରହିଛି । ଆପ ପୂର୍ବରୁ ୨୦୧୯ରେ ଉତରପୂର୍ବ ରାଜ୍ୟରେ ନିଜର ଦବଦବା ରଖିଥିବା ଏନପିପିକୁ ଜାତୀୟ ଦଳ ମାନ୍ୟତା ମିଳିଥିଲା । ତେବେ ୨୦୨୪ରେ କେଉଁ ଦଳର ପଦର୍ଶନ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛିି ।