ନକଲି ଟିକା ନେଇ ଟିଏମସି ଏମପି ମିମି ଚକ୍ରବର୍ତ୍ତୀ ଅସୁସ୍ଥ : ୪ ଦିନ ତଳେ ଠକାମୀର ଶିକାର ହୋଇ ନକଲି ଟିକା ନେଇଥିଲେ ମିମି

213

କନକ ବ୍ୟୁରୋ : କୋଲାକାତାରେ ନକଲି ଟିକାକରଣ କେନ୍ଦ୍ର ବିବାଦ ବଢ଼ିବାରେ ଲାଗିଛି । ନକଲି ଟିକା ନେଇ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି । ମିମିଙ୍କର ଏବେ ତାଙ୍କ ଘରେ ଚିକିତ୍ସା ଚାଲିଛି । ୪ ଦିନ ତଳେ ଏହି ତୃଣମୂଳ ସାଂସଦ ଠକାମିର ଶିକାର ହୋଇ ନକଲି ଟିକା ନେଇଥିଲେ । ଏହି ନକଲି ଟିକାକରଣ କେନ୍ଦ୍ର ଅନେକ ଲୋକ ଟିକା ନେଇଥିଲେ ।

ଏହି ମିଛ ଟିକାକରଣ କେନ୍ଦ୍ରର ମୁଖା ଖୋଲିଥିଲେ ନିଜେ ମିମି ଚକ୍ରବର୍ତ୍ତୀ । ଟିକା ନେବା ପରେ ମୋବାଇଲକୁ କୌଣସି ଏସଏମଏସ ନଆସିବା ଯୋଗୁଁ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ଏନେଇ ପୋଲିସକୁ ଜଣାଇଥିଲେ । ଏହି ମାମଲାରେ ପୋଲିସ୍ ଜଣଙ୍କୁ ଗିରଫ କରିଛି । କୋଲକାତା ମ୍ୟୁନିସପାଲ କର୍ପୋରେସନର ଯୁଗ୍ମ କମିଶନର ଭାବେ ପରିଚୟ ଦେଇ ଅଭିଯୁକ୍ତ ଜଣଙ୍କ ଏକ ଟିକାକରଣ କେନ୍ଦ୍ରର ଆୟୋଜନ କରିଥିଲେ । ଏଥିରେ ଅନେକ ଟିକା ମଧ୍ୟ ନେଇଥିଲେ ।

ତେବେ ସେମାନେ ଟିକା ନାଁରେ କ’ଣ ନେଇଥିଲେ, ତାର ତଦନ୍ତ ହେଉଛି । ଏନେଇ ଗବେଷଣାଗାରକୁ ସାମ୍ପଲ ପଠାଇଛି ପୋଲିସ୍ । ସେପଟେ ମୁମ୍ବାଇରେ ମଧ୍ୟ ନକଲି ଟିକାକରଣ କେନ୍ଦ୍ରର ଠାବ ହୋଇଛି । ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଏହି ଟିକାକରଣ କେନ୍ଦ୍ରରେ ବହୁ ଲୋକ ନକଲି ଟିକା ନେଇଥିଲେ ।