ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି ପଠାଇଲା ନୋଟିସ

142

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଏନେଇ ବିଜେପି ସାଂସଦ ଅଭିଯୋଗ କରିବା ପରେ ଏବେ ଏହି ମାମଲାର ଯାଂଚ ପାଇଁ ସଂସଦର ଏଥିକ୍ସ ବା ନୈତିକତା କମିଟି ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ କରିଛି । ଅକ୍ଟୋବର ୩୧ ତାରିଖ ୧୧ଟା ବେଳେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଛି । ଏନେଇ ଅଭିଯୋଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଏଥିକ୍ସ କମିଟିର ପ୍ରଶ୍ନରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି କି ସଂପୃକ୍ତ ମାମଲା ଉପରେ ସେ ଭବିଷ୍ୟତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

ଏଥିକ୍ସ କମିଟିର ଚେୟାରମ୍ୟାନ ତଥା ବିଜେପି ସାଂସଦ ବିନୋଦ ସୋନକର କହିଛନ୍ତି କି ଏହି ମାମଲାରେ ନିଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ ଦେହାଦ୍ରେହଙ୍କୁ ସମନ ପଠାଯାଇଥିଲା । ଉଭୟ ଆଜି କମିଟି ନିକଟରେ ହାଜର ହୋଇ ନିଜର ମତ ରଖିଛନ୍ତି । ସେମାନଙ୍କ ବୟାନ ଆଧାରରେ ମହ୍ରୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ କରାଯାଇଥିବା କଥା ବିନୋଦ ସୋନକର କହିଛନ୍ତି । ଏହାସହ ବିବରଣୀ ଉପଲବ୍ଧ କରିବା ପାଇଁ କମିଟି ଆଇଟି ମନ୍ତ୍ରଣାଳୟ ଓ ଗୃହମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯିବ ବୋଲି ସୋନକର କହିଛନ୍ତି ।