କନକ ବ୍ୟୁରେ : ପଶ୍ଚିମବଙ୍ଗ ମମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କର ବିଭିନ୍ନ ଘର ଉପରେ ଏବେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ ଜାରି ରଖିଛି । ଏହି କ୍ରମରେ ଏପର୍ଯ୍ୟନ୍ତ ଇଡି ପାର୍ଥଙ୍କ ଘରୁ ପାଖାପାଖି ୫୦ କୋଟି ଟଙ୍କାର ନଗଦ ଟଙ୍କା ଓ କୋଟି କୋଟି ଟଙ୍କାର ଗହଣା ବି ଜବତ କରିଛି । ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କୁ ବି ଇଡି ଗିରଫ କରିଛି । ଏସବୁ ଭିତରେ ଏକ ମଜାଦାର ଖବର ସାମ୍ନାକୁ ଆସିଛି ।

Advertisment

ଖବର ମୁତାବକ ପାର୍ଥ ଚାଟାର୍ଜୀଙ୍କ କୋଲକତା ଦକ୍ଷୀଣ ଚବିଶ ପ୍ରଙ୍ଗଣା ଜିଲ୍ଲାରେ ଥିବା ଏକ ଘରୁ କିଛି ଚୋର ପଶି ବ୍ୟାଗ ଭର୍ତ୍ତି ଟଙ୍କା ଚୋରି କରିନେଇଛନ୍ତି । ଚୋରମାନେ ପାର୍ଥଙ୍କ ଘରେ ପଶିବା ଓ ଟଙ୍କା ଗହଣା ବ୍ୟାଗରେ ପୁରାଇ ବାହାରିଯିବାକୁ ସେଠି ରହୁଥିବା ଅନେକ ଲୋକ ଦେଖିଛନ୍ତି । ହେଲେ ଲୋକମାନେ ପାର୍ଥଙ୍କ ଘରୁ ଚୋରୀ ହେଉଥିବା ନେଇ ସନ୍ଦେହ କରିବା ପରିବେର୍ତ୍ତ ସେମାନଙ୍କ ମନରେ ଧାରଣା ରହିଛି କି ଇଡି ତରଫରୁ ଚଢାଉ କରାଯାଉଛି ।

କହିରଖୁ କି, ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟ୍‌ରୁ ଏବେ ସୁଦ୍ଧା ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଛି। ପ୍ରଥମେ ଅର୍ପିତାଙ୍କ ଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ଗତକାଲି ତାଙ୍କ ଦ୍ବିତୀୟ ଫ୍ଲାଟ୍‌ରୁ ୨୯ କୋଟି ଟଙ୍କା ଓ ୫ କିଲୋଗ୍ରାମ୍‌ର ସୁନା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି।