କନକ ବ୍ୟୁରୋ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ରିମାଣ୍ଡ ଶୁଣାଣି ସମୟରେ ବାଙ୍କଶାଲ କୋର୍ଟରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।

Advertisment

ମଲ୍ଲିକଙ୍କୁ ଇଡି ଗିରଫ କରିବା ସହ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲା । ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ରକ୍ତଚାପ ବଢିଯାଇଥିଲା ଏବଂ କୋର୍ଟରେ ହାଜର ହେବାବେଳେ ସେ ଚେତାଶୂନ୍ୟ ହୋଇପଡିଲେ । ପଶ୍ଚିମବଙ୍ଗରେ ରାସନ ବଣ୍ଟନରେ ଦୁର୍ନୀତି ଅଭିଯୋଗରେ ମଲ୍ଲିକଙ୍କୁ ନଭେମ୍ବର ୬ ତାରିଖ ପର୍ୟ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି ।

ସୂଚନା ମୁତାବକ, ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଘରେ ଚଢଉ କରିଥିଲା । ଏକକାଳୀନ ୮ଟି ସ୍ଥାନରେ ଚଢଉ କରିବା ସହ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଥିଲା । ଏହାପରେ ତାଙ୍କୁ ପଚରାଉଚୁରା କରିବାକୁ ହେପାଜତରେ ନେଇଥିଲା । ତେବେ ତାଙ୍କର କିଛି ଭୁଲ ନାହିଁ ବରଂ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି ବୋଲି ସଫେଇ ଦେଇଛନ୍ତି ମନ୍ତ୍ରୀ ।