ପଶ୍ଚିମବଙ୍ଗରେ ଚାଲିଲା ମମତାଙ୍କ ଯାଦୁ । ବହୁମତଠାରୁ ବହୁ ଆଗରେ ଟିଏମସି । ନିଶ୍ୱାସ ଅଟକାଇ ଥିଲା ନନ୍ଦିଗ୍ରାମର ଫଳାଫଳ, ଶେଷରେ ବାଜି ମାରିନେଲେ ଶୁଭେନ୍ଦୁ ଅଧିକାରୀ ।

642

କନକ ବ୍ୟୁରୋ : ଗୋଟିଏ ପଟେ ଥିଲେ ମୋଦି ଓ ଅମିତ ଶାହା ଏବଂ ଅନ୍ୟପଟେ ଥିଲେ ମମତା ବାନାର୍ଜୀ । ଲଢେଇଥିଲା ପଶ୍ଚିମବଙ୍ଗ ପାଇଁ । ଗତଥର ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଏଥର ପୁରା ଦମରେ ପୁରା ପଶ୍ଚିମବଙ୍ଗ ଜିତିବା ପାଇଁ ଅଂଟା ଭିଡିଥିଲା । ନନ୍ଦିଗ୍ରାମ ହାରିଯାଇଥିଲେ ମଧ୍ୟ ତୃତୀୟ ଥର ଲାଗି ବାଜି ମାରିଛନ୍ତି ମମତା । ୨୦୧୧ରେ ବାମସାମ୍ରାଜ୍ୟକୁ ଧୂଳିସାତ କରି ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ ହ୍ୟାଟ୍ରିକ୍ ମାରିଛନ୍ତି ।

ପୁଣି ଦିଦି ମାରିଲେ ବାଜି । ମୋଦି, ଅମିତ ଶାହାଙ୍କ ପରି ବଡ ବଡ ହସ୍ତୀ ଓ ରଣନୀତିକାରଙ୍କୁ ପଶ୍ଚିମବଙ୍ଗରେ ମାତ ଦେଇଛନ୍ତି ମମତା । ବିଜେପିର ବିରାଟବଡ ନିର୍ବାଚନ ରଣନୀତିକୁ ସଫଳତାର ସହ ମୁକାବିଲା କରି ଦିଦି ପୁଣି ପ୍ରମାଣିତ କରିଛନ୍ତି ଯେ, ସେ ପ୍ରକୃତରେ ଜଣେ ଫାଇଟର । ଏଥର ବିଜେପି ପଶ୍ଚିମବଙ୍ଗ ଜିତିବା ପାଇଁ ସବୁପ୍ରକାର ବଳ ଲଗାଇଦେଇଥିଲା । ମୋଦି ଓ ଶାହାଙ୍କ ପରି ନେତା ବଡ ବଡ ରାଲି କରି ପଶ୍ଚିମବଙ୍ଗ ଭୋଟରଙ୍କୁ ପରିବର୍ତନ ପାଇଁ ଆହ୍ୱାନ ଦେଇଥିଲେ ।

ସେପଟେ ମମତା, ପ୍ରଶାନ୍ତ କିଶୋରଙ୍କ ରଣନୀତି ଉପରେ ବିଶ୍ୱାସ କରି ‘ଖେଲା ହୋବେ’ର ନାରା ଦେଇଥିଲେ, ଆଉ ଆରପାରର ଲଢେଇ କରିଥିଲେ । ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ବି ଠିକ ହେଲା । ବିଜେପି ୩ ଅଙ୍କ ଛୁଇଁପାରିଲା ନାହିଁ । କିନ୍ତୁ ୨୦୧୬ରେ ୩ଟି ଆସନ ଜିତିଥିବା ବିଜେପି ଏଥର ବେଶ ଭଲ ପ୍ରଦର୍ଶନ କଲା । ଅବଶ୍ୟ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା, ସେଥିରୁ ବହୁ ଦୂରରେ ରହି ସନ୍ତୁଷ୍ଟ ହେବାକୁ ପଡିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ମମତାଙ୍କୁ ବଧେଇ ଜଣାଇଛନ୍ତି ଏବଂ ପରବର୍ତୀ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ମମତା ଓ ପଶ୍ଚିମବଙ୍ଗବାସୀଙ୍କୁ ବଧେଇ ଜଣେଇଛନ୍ତି ।

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମୋଦି ଓ ଅମିତ ଶାହାଙ୍କୁ ହରାଇହେବ ବୋଲି ବର୍ତ୍ତା ଦେଇଛନ୍ତି ମମତା ।

ଏହାଛଡା ବଡକଥା ହେଉଛି ନନ୍ଦିଗ୍ରାମରେ ପରାଜୟର ସାମ୍ନା କରିଛନ୍ତି ମମତା । କଡା ଟକ୍କର ଦେଇ ଶେଷରେ ବିଜୟ ଟିକା ପିନ୍ଧିଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ଆଜି ଦିନତମାମ ସମସ୍ତଙ୍କ ନଜର ନନ୍ଦିଗ୍ରାମ ଉପରେ ରହିଥିଲା । ସକାଳୁ ମଧ୍ୟାହ୍ନ ଯାଏଁ ବେଶ ଆଗରେ ଥିବା ଶୁଭେନ୍ଦୁ ଶେଷରେ ବିଜୟ ହାସଲ କରିଛନ୍ତି ।