କନକ ବ୍ୟୁରୋ : ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେ ମମତାଙ୍କ ଗୋଡରେ ଆହତ ଲାଗିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଗତକାଲି ଆହତ ପରେ ତୁରନ୍ତ ତାଙ୍କୁ କୋଲକତା ଅଣାଯାଇଥିଲା ।
ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଛାନଭିନ୍ କରାଯାଉଛି । ଘଟଣା ଘଟିଥିବା ସ୍ଥାନର ମିଠା ଦୋକାନୀଙ୍କୁ ପଚରା ଉଚରା କରିଛନ୍ତି ପୂର୍ବ ନନ୍ଦିଗ୍ରାମର ଡିଏମ ବିଭୁ ଗୋୟଲ । ମିଠା ଦୋକାନ ମାଲିକ ନିମାଇ ମୌତିଙ୍କ କହିବା ଅନୁସାରେ, ଗତକାଲି ବିରୁଲିଆ ବଜାରରେ ମମତା ବାନାର୍ଜୀ ଗୋଟିଏ ମନ୍ଦିରର ଅନ୍ୟ ଏକ ମନ୍ଦିରକୁ ଯାଉଥିଲେ । ରାସ୍ତାର ଏକ ମୋଡ କାର ଦ୍ୱାର ଅଳ୍ପ ଖୋଲି ବାହାରକୁ ବାହାରି ମମତା ହାତ ହଲାଉଥିଲେ । ଏହି ସମୟରେ କିଛି ଲୋକ ଦୌଡିଯିବାରୁ କାରର ଡୋର ମମତାଙ୍କ ଗୋଡରେ ବାଡେଇ ହୋଇଥିବା କହିଛନ୍ତି ନିମାଇଁ ମୌତି । ଏହି ଘଟଣାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ତୃଣମୂଳ କଂଗ୍ରେସ କର୍ମୀ ଭେଟିବା କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ବିଜେପି ନେତା କୈଳାସ ବିଜୟୀବର୍ଗୀୟ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ମମତା ଅଭିନୟ କରିବାରେ ଓସ୍ତାଦ । ପରାଜୟ ଭୟରେ ସେ ଲୋକଙ୍କ ସହାନୁଭୁତି ସାଉଁଟିବାକୁ ଏପରି ଚାଲ ଖେଳିଛନ୍ତି । ମମତା ବାନାର୍ଜୀ ପ୍ରଥମ ଥର ପାଇଁ ନିଜ ପାରମ୍ପରିକ ଆସନ ଛାଡି ନନ୍ଦିଗ୍ରାମ ଆସନରୁ ଚଳିତ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗତକାଲି ନନ୍ଦିଗ୍ରାମରୁ ହଳଦିଆ ଯାଇ ସେ ପ୍ରାର୍ଥୀ ପତ୍ର ଦାଖଲ କରି ଫେରିବା ବେଳେ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ସେପଟେ ଆଜି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିବେ । ଏଥର ନନ୍ଦିଗ୍ରାମରେ ମମତା ବନାମ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ସିଧା ସଲଖ ଲଢେଇ ହେବାକୁ ଯାଉଛି ।