ମୋଦିଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ନିର୍ବାଚନ କମିଶନଙ୍କ ପାଖରେ ଦାବି କଲେ ଟିଏମସି ମୁଖ୍ୟ : କହିଲେ, ସରକାର ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ କରୁଛନ୍ତି ଘୋଡା ବେପାର

230

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଟିଏମସି ସରକାରକୁ ଭାଙ୍ଗି ଦେବାକୁ ସିଧାସଳଖ ଧମକ ଦେଇଥିବାରୁ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିଏମସି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଛି। ମୋଦିଙ୍କ ବୟାନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ଏବଂ ମୋଦି ଏଭଳି ବୟାନ ରଖି ଭୋଟରମାନଙ୍କୁ ପ୍ରଭାବିତ କରିଛନ୍ତି ବୋଲି ମମତା କହିଛନ୍ତି।

ମୋଦିଙ୍କ ଉତ୍ତେଜନାପୂର୍ଣ୍ଣ ଏବଂ ଅଗଣତାନ୍ତ୍ରିକ ବୟାନ ପାଇଁ ତାଙ୍କ ପ୍ରାର୍ଥିପତ୍ର ବାତିଲ କରାଯିବ । ଏ ଦିଗରେ ଉଚିତ ପଦକ୍ଷେପ ହେବ ବୋଲି ଟିଏମସି ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରେନ୍ କହିଛନ୍ତି। ଓବ୍ରେନଙ୍କ ଦ୍ୱାରା ଇସିଙ୍କୁ ଲେଖାଯାଇଥିବା ଅଭିଯୋଗ ପତ୍ରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଏବେ ରାଜ୍ୟ ସରକାର ଭାଙ୍ଗିବା ପାଇଁ ଘୋଡ଼ା ବେପାର କରୁଛନ୍ତି। ଅନ୍ୟପକ୍ଷରେ ମମତା କହିଛନ୍ତି ଯେ, ମୋଦି ଲଜ୍ଜାହୀନ ଭାବେ ତାଙ୍କ ସରକାରର ପତନ ପାଇଁ ଧମକାଇବା ଏକ ବିରଳ ଘଟଣା। ମୋଦି ଶ୍ରୀରାମପୁରରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ଟିଏମସିର ୪୦ ଜଣ ବିଧାୟକ ତାଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ବିଜେପି ଲୋକସଭା ନିର୍ବାଚନ ଜିତିଲେ ମେ’ ୨୩ ପରେ ଏମାନେ ବିଦ୍ରୋହ କରି ଟିଏମସି ଛାଡ଼ିଦେବେ। ମୋଦିଙ୍କ ଏହି ବୟାନ ବାବଦରେ ତାଙ୍କୁ ପ୍ରମାଣ ରଖିବାପାଇଁ ନିର୍ବାଚନ କମିସନ୍ କୁହନ୍ତୁ ବୋଲି ଟିଏମସି ପକ୍ଷରୁ ଜୋରଦାର ଦାବି କରାଯାଇଛି।