ଟୁୁକୁନି ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଟିଟିଲାଗଡ଼ ପୌରାଧ୍ୟକ୍ଷା : ମନ୍ତ୍ରୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କହିଲେ ମମତା ଦେବୀ ଜୈନ

126

କନକ ବ୍ୟୁରୋ : ମନ୍ତ୍ରୀ ଟୁକୁନି ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌରାଧ୍ୟକ୍ଷା । ମନ୍ତ୍ରୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କହିଛନ୍ତି ପୌରାଧ୍ୟକ୍ଷା ମମତା ଦେବୀ ଜୈନ । ପୌର ପରିଷଦ କାର୍ଯ୍ୟାଳୟ ବାହାରେ ବଡପାଟି କରିବା ସହ କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା । ଗତକାଲି ପୌର ପରିଷଦର ପ୍ରଥମ ବୈଠକ ବସିଥିଲା । ଏବଂ ପ୍ରଥମ ବୈଠକ ହୋଇଥିବାରୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଟିଟିଲାଗଡ ପୌର ପରିଷଦର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ ହେବାର ଥିଲା । ପ୍ରଥମରୁ ବୈଠକ ଠିକଠାକ ଚାଲିଥିବାବେଳେ ପରେ ଦେଖା ଦେଇଥିଲା ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଏବଂ ପୌରାଧ୍ୟକ୍ଷା ମମତା ଦେବୀ ଜୈନଙ୍କ ଭିତରେ କଥା କଟାକଟି ଦେଖିବାକୁ ମିଳିଥିଲା । ଫଳରେ ବୈଠକ ଅଧାରୁ ବନ୍ଦ ରହିଥିଲା । ପୌର ପରିଷଦର କୌଣସି ଉନ୍ନୟନ ମୂଳକ କାମ କରାଇଦେବେ ନାହିଁ ବୋଲି ମନ୍ତ୍ରୀ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା । ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଓ ବିଜେପି ସମର୍ଥକଙ୍କ ଭିତରେ ପାଟିତୁଣ୍ଡ ଦେଖିବାକୁ ମିଳିଛି ।

ଘଟଣା ସଂପର୍କରେ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ବିଜେଡି କାଉନସିଲର ଓ ଉପାଧ୍ୟକ୍ଷା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୌରାଧ୍ୟକ୍ଷା ପାଟିତୁଣ୍ଡ କରିବାରୁ ବୈଠକ ଅଧାରୁ ବନ୍ଦ ହେଲା ବୋଲି ସେମାନେ ପାଲଟା ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଦୁର୍ବ୍ୟବହାର କରିବା ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଛନ୍ତି ବିଜେଡି କାଉନସିଲର । ଏଥର ପଂଚାୟତ ଓ ପୌର ପରିଷଦରେ ଡୁଆଲ ଭୋଟିଂ ହୋଇଛି । ଅର୍ଥାତ ପଂଚାୟତ ସମିତି ଅଧ୍ୟକ୍ଷ ଏବଂ ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଅଲଗା ନିର୍ବାଚନ ହୋଇଥିଲା ।

ଟିଟିଲାଗଡରେ ମୋଟ୍ ୧୫ଟି କାଉନସିଲର ପଦବୀରୁ ବିଜେଡି ୧୦ ଓ ବିଜେପି ୫ଟିରେ ବିଜୟୀ ହୋଇଛି । ପୌରାଧ୍ୟକ୍ଷ ପଦ ମଧ୍ୟ ବିଜେପି ଖାତାକୁ ଯାଇଛି । ସଂଖ୍ୟା ଦୃଷ୍ଟିରୁ ଭଲ ସ୍ଥିତିରେ ଥିବା ବିଜେଡି ଓ ୫ଜଣ କାଉନସିଲରଙ୍କୁ ସାଙ୍ଗରେ ନେଇ ଦୁର୍ବଳ ସ୍ଥିତିରେ ଥିବା ବିଜେପି ପୌରାଧ୍ୟକ୍ଷଙ୍କ ଭିତରେ ଆଗକୁ ଏଭଳି କ୍ଷମତା ଲଢେଇ ଆହୁରି ଜୋରଦାର ହେବା ଆଶଙ୍କା କରାଯାଉଛି ।