କଡା ସୁରକ୍ଷା ବଳୟ ଭିତରେ କଳିଙ୍ଗ ଷ୍ଟାଡିୟମ । ଷ୍ଟାଡିୟମ ଭିତରେ ଓ ବାହାରେ ପୁଲିସ୍ ଛାଉଣୀ

140

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱ କପ୍ ପାଇଁ ସୁରକ୍ଷା ବଳୟ ଭିତରେ କଳିଙ୍ଗ ଷ୍ଟାଡିୟମ୍ । ଆସନ୍ତାକାଲି ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ଥିବା ବେଳେ ଆଜି ଷ୍ଟାଡିୟମରେ ସୁରକ୍ଷା ଯାଂଚ କରାଯାଇଛି । ପଶ୍ଚିମାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଭୁବନେଶ୍ୱର ଡିସିପି ଅନୁପ୍ ସାହୁ ଓ ବିଭିନ୍ନ ଥାନାର ଆଇଆଇସି କଳିଙ୍ଗ ଷ୍ଟାଡିୟମ ଭିତରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ବିଶେଷ କରି ଉଦଘାଟନୀ ମଂଚ, ୧୨ ହଜାର ୫୦୦ ଦର୍ଶକଙ୍କ ବସିବା ଉଦ୍ଧିଷ୍ଠ ସ୍ଥାନ, ୨୦୦୦ କଳାକାରଙ୍କ ବସିବା ସ୍ଥାନ ଏବଂ ଏହି ମହାକୁମ୍ଭରେ ସାମିଲ ହୋଇଥିବା ୧୬ଟି ଦେଶର କୋଚ୍ ଓ ଅଫିସଆଲଙ୍କ ପାଇଁ ଉଦ୍ଧିଷ୍ଠ ସ୍ଥାନରେ କଡା ଯାଂଚ କରାଯାଉଛି । କଳିଙ୍ଗ ଷ୍ଟାଡିୟମ୍ ସୁରକ୍ଷା ଦାୟିତ୍ୱର ପୁଲିସ ସହ ଓଏସଏଏଫ ଯବାନ ମଧ୍ୟ ମୁତୟନ ରହିବେ ।

ସେପଟେ, ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେଇ ପାରନ୍ତି ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । କଟକରେ ହେବାକୁ ଥିବା ଏଡି ସମାରୋହରେ ଯୋଗ ଦେବା ପାଇଁ ଓଡ଼ିଶା ସରକାର ସଲମାନଙ୍କ ଅଫିସ ସହ ଯୋଗାଯୋଗ କରିଛନ୍ତି । ଏବଂ ଆଜି ସଲମାନଙ୍କ ଅଫିସ ଏନେଇ ସ୍ପଷ୍ଟୀକରଣ ରଖିବ ବୋଲି କ୍ରୀଡା ସଚିବ ବିଶାଳ ଦେବ କହିଛନ୍ତି । ଭୁବନେଶ୍ୱରରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ୍ ଯୋଗ ଦେଉଥିବା ବେଳେ କଟକରେ ହେବାକୁ ଥିବା ଏହି ସମାରୋହରେ ସଲମାନ୍ ଖାନ୍ ଯୋଗଦେବା ନେଇ ସମ୍ଭାବନା ଅଧିକ ରହିଛି ।

କ୍ରୀଡା ସଚିବ ବିଶାଳ ଦେବ କହିଛନ୍ତି, ସଲମାନ୍ ଖାନଙ୍କ ଅଫିସ ଓଡ଼ିଶା ସରକାରଙ୍କ ଅନୁରୋଧକୁ ରକ୍ଷା କରିବ ବୋଲି ସେ ଆଶା ରଖିଛନ୍ତି । ସେପଟେ ଭୁବନେଶ୍ୱରରେ ହେବାକୁ ଥିବ ଉତ୍ସବ ପାଇଁ ଏଆର ରେହମନ ରାଜଧାନୀରେ ପହଂଚି ସାରିଛନ୍ତି । ବିଶ୍ୱକପ ପାଇଁ ସବୁ ଦଳ ପହଂଚି ସାରିଥିବାବେଳେ ଆସନ୍ତାକାଲି ଉଦଘାଟନୀ ଉତ୍ସବ ପାଇଁ ପ୍ରବଳ ଉକ୍ରଣ୍ଠା ଦେଖିବାକୁ ମିଳିଛି ।