କଟକ ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା : କହିଲେ, ନ୍ୟାୟ ନମିଳିବା ଯାଏଁ ବନ୍ଦ ରହୁ ବିଜୟଶଙ୍କରଙ୍କ ବାହାଘର

253

କନକ ବ୍ୟୁରୋ : ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ଆଜି କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହୋଇ ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି ବିଧାୟକଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ବିଧାୟକଙ୍କ ବାହାଘର ବନ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ମାମଲାର କପିକୁ ଆଜି ସୋମାଲିକା ସବ ରେଜିଷ୍ଟ୍ରାର ଅଫିସରେ ଦାଖଲ କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ତାଙ୍କୁ ନ୍ୟାୟ ନମିଳିବା ଯାଏଁ ବିଧାୟକଙ୍କ ବାହାଘର ବନ୍ଦ ରହୁ । ବିଜୟଶଙ୍କର ଧୋକ୍କା ଦେଇଛନ୍ତି, ତାଙ୍କୁ ନ୍ୟାୟ ମିଳିବା ପରେ ବିଧାୟକ ଯେଉଁଠି ଚାହିଁବେ ବିବାହ କରିପାରିବେ ବୋଲି ସୋମାଲିକା କହିଛନ୍ତି । ପୂର୍ବରୁ ବିଧାୟକ ବିଜୟଶଙ୍କର ବିବାହ ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ଏହି ଖବର ପାଇବା ପରେ କଟକ ସବ ରେଜିଷ୍ଟ୍ରାର ଅଫିସରେ ଲିଖିତ ଅଭିଯୋଗ ଆଣି କଡା ଆପତି କରିଥିଲେ ସୋମାଲିକା । ବିବାହ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ସୋମାଲିକା । କହିଛନ୍ତି ପୂର୍ବରୁ ଜଗତସିଂହପୁର ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ବିଧାୟକ ବିଜୟଶଙ୍କର ।

ବିବାହ ଦିନ ସବ-ରେଜିଷ୍ଟ୍ରାର ଅଫିସକୁ ନଆସି ତାଙ୍କୁ ଧୋକା ଦେଇଥିଲେ । ଏନେଇ ବିଜୟଶଙ୍କରଙ୍କ ବିରୋଧରେ ସେ କରିଥିବା ମାମଲା ଫଇସଲା ହୋଇନାହିଁ । ଆଉ ବିଧାୟକ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ-ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ତେଣୁ ବିଧାୟକଙ୍କ ବିବାହ ଉପରେ ରୋକ ଲଗାଯାଉ ବୋଲି ସୋମାଲିକା ଦାସ ଦାବି କରିଛନ୍ତି ।