ପୁଣି ଶାରଳା ସୂତାକଳ ସ୍ୱପ୍ନ ଦେଖାଉଛନ୍ତି ନେତା । ମାଟି କାମୁଡ଼ି ପଡ଼ିଥିବା ସୂତାକଳ ଏବେ ତିନି ଦଳର ମୁଖ୍ୟ ମୁଦ୍ଦା । ତିର୍ତ୍ତୋଲ ତାଜ୍ ପାଇଁ ଲଢ଼େଇରେ କାହାକୁ ଭରସିବେ ଜନତା ?

508

କନକ ବ୍ୟୁରୋ: କୁହାଯାଏ ନିର୍ବାଚନ ଆସିଲେ ସବୁ ସମସ୍ୟା ବି ସାମ୍ନାକୁ ଆସେ । ଆଉ ସେହି ସମସମ୍ୟାର ସମାଧାନ ପାଇଁ ନେତା ମଧ୍ୟ ମାଳ ମାଳ ପ୍ରତିଶ୍ରୃତି ଦେଇ ଭୋଟ୍ ହାତେଇବାକୁ ଗୋଟି ଖେଳିଥାନ୍ତି । ନୂଆ ସ୍ୱପ୍ନ ସାଙ୍ଗକୁ ସୁନାର ଭବିଷ୍ୟତ ପାଇଁ ନେତା ହାତକାଟି କଥା ଦେବାକୁ ବି ପଛାନ୍ତି ନାହିଁ । କିନ୍ତୁ ବିଜୟ ପରେ କେଉଁଠି କଥା ରଖିଥାନ୍ତି ନେତା ଆଉ କେଉଁଠି ‘ରାତ୍ ଗଇ ବାତ୍ ଗଇ’ ଭଳି ଭୁଲି ଯାଆନ୍ତି । ଠିକ୍ ଏମିତି ରାଜନୀତି ଦେଖିବାକୁ ମିଳିଛି ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନରେ । ବର୍ଷ ପରେ ବର୍ଷ ବିତିଛି, ଦୁଇ ଦଶନ୍ଧିର ସରକାର ବି ଅଛି ହେଲେ ଆଜି ବି ତାଲା ଫିଟିବାକୁ ଅପେକ୍ଷା କରିଛି ଶାରଳା ସୂତାକଳ ।

୧୯୮୫ ମସିହାରେ ଯେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଆଉ ବସନ୍ତ ବିଶ୍ୱାଳ ଥିଲେ ତିର୍ତ୍ତୋଲ ବିଧାୟ ଓ ଜାନକୀଙ୍କ ସରକାରରେ ମନ୍ତ୍ରୀ ଠିକ୍ ସେତିକିବେଳେ ଶ୍ରମିକଙ୍କ ସ୍ୱପ୍ନ ସାକାର କରିବାକୁ ଆରମ୍ଭ ହୋଇଥିଲା ଶାରଳା ସୂତାକଳ । ଆରମ୍ଭରୁ ୧୩ଶହ କର୍ମଚାରୀଙ୍କୁ ନେଇ ଚାଲିଥିବା ଏହି ସୂତାକଳ ଧିରେ ଧିରେ ଉନ୍ନତି କ୍ଷେତ୍ରରେ ବଢ଼ି ଚାଲିଲା । କୁଶଳୀ କାରିଗର ଆଉ ମେସିନ୍ ସାହାଯ୍ୟରେ ପ୍ରସ୍ତୁତ ସୂତା ଗୁଜୁରାଟ, କଲିକତାରୁଠୁ ଆରମ୍ଭ କରି ବିଦେଶକୁ ମଧ୍ୟ ରପ୍ତାନୀ ହେଉଥିଲା । କିନ୍ତୁ ୧୯୯୯ ମହାବାତ୍ୟା ଶାରଳା ସୂତାକଳକୁ ଛାରଖାର କରିଦେଲା । ମରାମତି ପାଇଁ ସରକାର ୮୫ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ପରେ ପରିଚାଳନା ତ୍ରୁଟି ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଶାରଳା ସୂତାକଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । କିନ୍ତୁ ଏଥର ଉପନିର୍ବାଚନରେ ପୁଣି ସୂତାକଳ ସ୍ୱପ୍ନ ଦେଖାଉଛନ୍ତି ନେତା ।

୨୦ ବର୍ଷ ହେବ ଅନେକ ବିଧାୟକଙ୍କୁ ଏହି ଶାରଳା ସୂତାକଳ ଶାସନ କରିଥିବାର ଦେଖିଛି ହେଲେ ଆଜି ଯାଏଁ ନାଁ ହୋଇଛି ପୁନଃରୁଦ୍ଧାର ନା ଖୋଲିଛି ତାଲା । ହେଲେ ଏଥର କିନ୍ତୁ ଦାନ୍ତ କାମୁଡ଼ି ପଡ଼ିଥିବା ଏହି ସୂତାକଳ ମୁହଁରେ ପାଣି ଦେଇ ତାକୁ ଉଠାଇବାକୁ ପ୍ରତିଶ୍ରୃତିର ପୁଡିଆ ବାଣ୍ଟୁଛନ୍ତି ତିନି ଦଳର ତିନି ନେତା । ବିଜେଡିର ତର୍ତ୍ତୋଲ ପ୍ରାର୍ଥୀ ତଥା ଦିବଙ୍ଗତ ବିଜେଡି ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଶାରଳା ସୂତାକଳର ସ୍ୱପ୍ନକୁ ପୂରି ସିଇଁବାରେ ଲାଗିଛନ୍ତି ।

ସେପଟେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା କିନ୍ତୁ ବିଜେଡିର ସାରଳା ସୂତାକଳ ସ୍ୱପ୍ନକୁ କଟାକ୍ଷ କରିଛନ୍ତି । ଦୁଇ ଦଶନ୍ଧି ଧରି ଯେଉଁ ସରକାର ଏହି ସୂତାକଳକୁ ଅବହେଳା କରି ଚାଲିଛି ଯେଉଁଥି ପାଇଁ ଏହି ମହାବାତ୍ୟା ପରଠୁ ଏହି ସୂତାକଳ ମାଟି କାମୁଡ଼ି ପଡିଛି । ଏଥର କିନ୍ତୁ ବିଜେପିର ବିଜୟ ସୂତାକଳର ପୁନଃରୁଦ୍ଧାର ପାଇଁ ବାଟ ଫିଟାଇବ । ଆନ୍ତରିକତାର ଅଭାବରୁ ସୂତାକଳ ଭଳି ଏକାଧିକ ଶିଳ୍ପର ଭବିଷ୍ୟତ ଏଠି ବାଟମଣା ହୋଇଛି ।

ଏହି ଦୁଇ ଦଳ ଭିତରେ ସୂତାକଳ ନେଇ ଟଣାଓଟରା ଚାଲିଥିବାବେଳେ ବିଜେଡି-ବିଜେପି ହାଇଭୋଲଟେଜେ୍ ଡ୍ରାମା କରୁଥିବା କହିଛି ‘ହାତ’ । କଂଗ୍ରେସର ତିର୍ତ୍ତୋଲ ସିପାହୀ ହିମାଂଶୁ ମଲ୍ଲିକଙ୍କ କହିବା କଥା, ଉଭୟ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏଠାକାର ଲୋକଙ୍କ ସମସ୍ୟା ଦେଖି ସେତେବେଳେ କଂଗ୍ରେସ ସରକାର ଶାରଳା ସଳତାକଳ ଖୋଲି ରୋଜଗାର ଦେଇଥିଲା । ହେଲେ ବିଜେଡି ଆସିବା ପରେ ଏହାକୁ ଅଣଦେଖା କରାଗଲା କିନ୍ତୁ ଏଥର ଆଉ ନୁହେଁ ବହୁତ ହେଲା । କଂଗ୍ରେସ ଆସିଲେ ୩ଟି ବ୍ଲକରେ ଅନେକ ଶିଳ୍ପ ପ୍ରତିଷ୍ଠା କରାଯିବ ।
ତେବେ ଦେଖାଯାଉ କେଉଁ ନେତା କଥା ରଖୁଛନ୍ତି, ଯାହା ଦୁଇ ଦଶନ୍ଧି ହୋଇପାରୁନି ତାହା ଏଥର ହେଉଛି କି ନାହିଁ । ସୂତାକଳରେ ପୁଣି ମଣିଷ-ମେସିନ୍ ହାତ ଚାଲିବ କି ନାହିଁ ତାହା ନର୍ବାଚନ ପରେ ସାମ୍ନାକୁ ଆସିବ । କିନ୍ତୁ ସାଧାରଣରେ ଗୋଟି ପ୍ରଶ୍ନ ଉଠୁଛି? ସୂତାକଳ ସାମ୍ନାରେ ଲେଖାଥିବା ଅକ୍ଷର ଲିଭିଯାଉଥିବା ଭଳି ନେତାଙ୍କ ପ୍ରତିଶ୍ରୁତି ପୂଣି ଲିଭି ଯିବନି ତ?

ତିନି ଦଳ: ଅସ୍ତ୍ର ‘ସୂତାକଳ’

#ତିନି_ଦଳ: #ଅସ୍ତ୍ର ‘#ସୂତାକଳ’ପୁଣି ଶାରଳା ସୂତାକଳ ସ୍ୱପ୍ନ ଦେଖାଉଛନ୍ତି ନେତା । ମାଟି କାମୁଡ଼ି ପଡ଼ିଥିବା ସୂତାକଳ ଏବେ ତିନି ଦଳର ମୁଖ୍ୟ ମୁଦ୍ଦା । ତିର୍ତ୍ତୋଲ ତାଜ୍ ପାଇଁ ଲଢ଼େଇରେ କାହାକୁ ଭରସିବେ ଜନତା ? #Odisha #ByElection #BJD #BJP #Congress #Tirtola

Posted by Kanak News on Tuesday, October 20, 2020