ତିର୍ତ୍ତୋଲ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ କସରତ । ଘର ଘର ବୁଲୁଛନ୍ତି ବିଧାୟକ ବିଜୟ ଶଂକର, ପଛରେ ପଡିନାହାଁନ୍ତି କଂଗ୍ରେସ ଓ ବିଜେପିର ଆଶାୟୀ ପ୍ରାର୍ଥୀ

141

କନକ ବ୍ୟୁରୋ : ତିର୍ତ୍ତୋଲରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ହାତେଇବାକୁ ସବୁ ଦଳ କସରତ ଆରମ୍ଭ କରିଦେଇଛନ୍ତି । ବର୍ତମାନ ବିଧାୟକ ବିଜୟ ଶଙ୍କର ଦାସ ନିଜ ଟିକେଟକୁ ସଂରକ୍ଷିତ ରଖିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ଗୁଡ଼ବୁକରେ ରହି ଉଦ୍ୟମ ଚଳାଇଥିବା ବେଳେ ୨୦୨୦ରୁ ବିଜେପିରୁ ଆସି ବିଜେଡିରେ ମିଶିଥିବା ରମାକାନ୍ତ ଭୋଇ, ତିର୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ଓ ସମାଜସେବୀ ଯୁଧିଷ୍ଠିର ସେଠୀ ମଧ୍ୟ ଗାଁ ଗାଁ ବୁଲି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରି ଟିକେଟ ଆଶା ଓ ସଂଗଠନ ସୁଦୁଢ଼ କରିବାରେ ଲାଗିପଡ଼ିଛନ୍ତି ।

ସେପଟେ ବିଜେପି ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ିନାହିଁ । କଂଗ୍ରେସ ଛାଡି ୨୦୨୦ ଉପ-ନିର୍ବାଚନରେ ବିଜେପିରୁ ଲଢ଼ିଥିବା ରାଜକିଶୋର ବେହେରା ଆଗାମୀ ନିର୍ବାଚନରେ ଟିକେଟ ସୁରକ୍ଷିତ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ରାଜ୍ୟ ମହିଳା ବିଜେପି ନେତ୍ରୀ ସ୍ମିତା ପ୍ରଧାନ ମଧ୍ୟ ବିଜେପି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି ।

ସେହିପରି କଂଗ୍ରେସର ପୂର୍ବତନ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକଙ୍କ ଦେହାନ୍ତ ଏବଂ ୨୦୨୦ ଉପନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢ଼ିଥିବା ଯୁବ ନେତା ହିମାଂଶୁ ମଲ୍ଲିକଙ୍କୁ କଂଗ୍ରେସ ରିପିଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଠାରେ କଂଗ୍ରେସକୁ ମଜବୁତ କରିବା ପାଇଁ ଗାଁକୁ ଗାଁ ବୁଲି ଜନତାଙ୍କ ମନରେ ନିଜର ଛାପ ଛାଡ଼ିବାକୁ ପ୍ରୟାସ କରୁଛନ୍ତି ହିମାଂଶୁ ।

ଗୋଟିଏ ପଟେ ବିଜେଡି-ବିଜେପି ମେଂଟ ଚର୍ଚ୍ଚାରେ ଥିବା ବେଳେ ଏହି ଟିକେଟ ପ୍ରତିଯୋଗିତାରେ କିଏ କେଉଁ ଦଳରୁ ବାଜିମାତ କରୁଛନ୍ତି ତାକୁ ହିଁ ଅପେକ୍ଷା ।