ଥମୁନି ମନ୍ତ୍ରୀଙ୍କ ଇସ୍ତଫା ଦାବି । କୁଚିଣ୍ଡାରେ ବିରୋଧ ବେଳେ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ବିଜେଡି କର୍ମୀ ।

109

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ବଢିବାରେ ଲାଗିଛି । ଆଜି ମୁଖ୍ୟମନ୍ତ୍ରୀ କୁଚିଣ୍ଡା ଗସ୍ତରେ ଯାଇଥିବାବେଳେ ଏପଟେ କୁଚିଣ୍ଡା ଓ ସମ୍ବଲପୁରରେ ହଙ୍ଗାମା କରିଛନ୍ତି ବିରୋଧୀ । କୁଚିଣ୍ଡାରେ କଂଗ୍ରେସ ଓ ବିଜେପିର କର୍ମୀଙ୍କୁ ପ୍ରତିବାଦ ପାଇଁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏପଟେ ସମ୍ବଲପୁର ଡିଆଇଜି ଅଫିସ ଆଗରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ବିକ୍ଷୋଭ କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ସମ୍ବଲପୁରରେ ଗର୍ଜ୍ଜନ କରିଛି ବିଜେପି ମହିଳା ମୋର୍ଚ୍ଚା । ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ କରିବା ଦାବିରେ ଡିଆଇଜି ଅଫିସ ଘେରାଉ କରିଛନ୍ତି ଶତାଧିକ ବିଜେପି ମହିଳା କର୍ମୀ । ଶୋଭାଯାତ୍ରା କରିବା ସହ ସମ୍ବଲପୁରସ୍ଥିତ ଡିଆଇଜି ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସମ୍ବଲପୁର ଜିଲ୍ଲାରେ ବିରୋଧୀ ଆନ୍ଦୋଳନ ଜାରି ରଖିଥିବାବେଳେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ଆନ୍ଦୋଳନ କରୁଥିବା ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କୁ, ଗୋଡେଇ ଗୋଡେଇ ପିଟିଛନ୍ତି କିଛି ବିଜେଡି କର୍ମୀ । ଯେଉଁମାନେ ପିଟୁଛନ୍ତି ସେମାନେ ହାତରେ ବିଜେଡିର ପତାକା ଧରିଛନ୍ତି, ଆଉ ଆକ୍ରମଣ କରୁଛନ୍ତି । ପୋଲିସ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ଅଟକାଇବାରେ ବିଫଳ ହୋଇଛି । ଆନ୍ଦୋଳନକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସାରା ରାଜ୍ୟ ହୁଲୁସ୍ତୁଲ ହେଉଥିବାବେଳେ ଜାରି ରହିଛି ରାଜନୈତିକ ବୟାନ ବାଜି । ମନ୍ତ୍ରୀଙ୍କ ବିରୋଧରେ ଶାସକ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀପାବଳିରେ ଦୀପଟିଏ ଜାଳିବାକୁ ଆହ୍ୱାନ ଦେଇଛି ରାଜ୍ୟ ବିଜେପି । ସେହିପରି ମନ୍ତ୍ରୀ ଇସ୍ତଫା ନଦେଲେ ବସଙ୍କ ବିରୋଧରେ ପୋଲିସ କେମିତି ତଦନ୍ତ କରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜେଡି ସାଂସଦ କହିଛନ୍ତି, ଆଇନ ତା ବାଟରେ ଯିବ । ଗୋଟିଏ ପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିଥିବାବେଳେ ବିଜେଡି କର୍ମୀ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।