ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତିରଥଙ୍କ ଇସ୍ତଫା । ୪ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ । 

138

କନକ ବ୍ୟୁରୋ :  ଉତ୍ତରାଖଣ୍ଡରେ ମାତ୍ର ୪ ମାସ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ୍ , ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ବୈଠକ ପରେ ପରେ ଏପରି ହଠାତ୍ ଇସ୍ତାଫା ଦେଇଛନ୍ତି । ଏହା ପଛରେ ସମ୍ବିଧାନିକ ସଂକଟ ଏକ କାରଣ ବୋଲି ଶୁଣାଯାଉଛି ।

ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ମାର୍ଚ୍ଚ ୧୦ ତାରିଖରେ ତିରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ଜରୁରୀ । କିନ୍ତୁ ଆସନ୍ତା ବର୍ଷ ଫେବ୍ରୁଆରୀ –ମାର୍ଚ୍ଚରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ, ତେଣୁ ଏବେ ଉପନିର୍ବାଚନ କରିବା ନିଷ୍ପତି ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରେ ।

ଅନ୍ୟପଟେ ବିଜେପିରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହେଲାଣି । ଆଜି ଉତ୍ତରାଖଣ୍ଡ ବିଜେପିର ବିଧାୟକ ଦଳ ବୈଠକ ଡକାଯାଇଛି । ଯେଉଁଥିରେ ବିଧାୟକ ଦଳ ନେତା ତଥା ପରବର୍ତି ମୁଖ୍ୟମନ୍ତ୍ରୀଙ୍କ ନାମ ଚୟନ କରାଯିବ । ଏଥିପାଇଁ ଦିଲ୍ଲୀରୁ ଉତ୍ତରାଖଣ୍ଡ ପ୍ରଭାରୀ ନରେନ୍ଦ୍ର ସିଂ ତୋମାର ଡେରାଡୁନ ଯାଇଛନ୍ତି । ଏଥିସହ ସମସ୍ତ ବିଜେପି ବିଧାୟକଙ୍କୁ ଡେରାଡୁନରେ ହାଜର ହେବା ପାଇଁ ଦଳ ପ କ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ମାତ୍ର ୪ ମାସ ପରେ ତିରଥ ସିଂ ରାୱତ ଇସ୍ତଫା ଦେଇଛନ୍ତି ।