ନିଜର ବୁଦ୍ଧିମତା ଯୋଗୁଁ ଅପହୃତ ହେବାରୁ ବଂଚିଲେ ଏହି ଶିଶୁ : ଆସନ୍ତୁ ଜାଣିବା ତାଙ୍କ କାହାଣୀ ଓ ଶିଶୁ ଅପହରଣକୁ ରୋକିବା ଦିଗରେ କିଛି ଟିପ୍ସ

61

ଦିଲ୍ଲୀ ସ୍ଥିତ ଗାଜିଆବାଦର ଏକ ହାଉସିଂ ସୋସାଇଟିର ଏକ ଶିଶୁ ଏବେ ନିଜର ବୁଦ୍ଧିମତା ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି । କଥାଟି ହେଉଛି ଯେତେବେଳେ ସେହି ଶିଶୁ ଜଣକ ସୋସାଇଟିରେ ଖେଳୁଥିଲା ତା’ ନିକଟକୁ ଏକ ଅଜଣା ବ୍ୟକ୍ତି ଆସି ପିଲାଟିର ବାପାଙ୍କର ଦୁର୍ଘଟଣା ହୋଇଥିବା କହିଥିଲେ ଏବଂ ସେହି ବ୍ୟକ୍ତି ଜଣକ ପିଲାଟିକୁ ତା’ର ବାପାଙ୍କ ପାଖକୁ ନେଇଯିବ ବୋଲି କହିଥିଲା । ପିଲା ଜଣକ ଭୟଭୀତ ନହୋଇ ସେହି ବ୍ୟକ୍ତିକୁ ପଚାରିଲା ମୋ ବାପାଙ୍କ କୋର୍ଡୱାର୍ଡ କୁହ ତାପରେ ମୁଁ ତୁମ ସହ ଯିବି । ଏହା ଶୁଣି ସେହି ଅଜଣା ବ୍ୟକ୍ତି ଜଣକ ଚକିତ ହୋଇପଡିଥିଲା । ଏହାବ୍ୟତୀତ ସେହି ପିଲା ଜଣକ ବ୍ୟକ୍ତିକୁ ଆହୁରି ଅନେକ ପ୍ରଶ୍ନ କରିଥିଲେ ଏବଂ ଯାହାର ଉତ୍ତର କିଛି ମିଳିନଥିଲା । କଥାଟି ହେଉଛି ସେହି ଶିଶୁଟିର ବାପା-ମା’ ଆଗରୁ ହିଁ ଜଣାଇ ରଖିଥିଲେ ଯେ କେବେ ବି କୌଣସି ଅଜଣା ବ୍ୟକ୍ତି ଆସି କିଛି କହିଲେ ତାଙ୍କୁ ପ୍ରଥମେ କୋଡୱାର୍ଡ ପଚାରିବୁ ଏବଂ ବାପା-ମା ଶିଶୁଟିକୁ ଆଗରୁ କୋଡୱାର୍ଡ କହିଥିଲେ । ଏହି ଶିଶୁର ସାହାସ ଏବଂ ତାଙ୍କ ବାପା-ମାଙ୍କର ବୁଦ୍ଧିମତା ସତରେ ପ୍ରଂଶସନୀୟ ଅଟେ ।

ଆଜିକାଲି ଶିଶୁ ଅପହରଣ ଏବଂ ସେମାନଙ୍କ ସହ କୁଆଚରଣ କିଛି ନୂଆ କଥା ନୁହେଁ । ଏହା ବର୍ତ୍ତମାନ ବହୁଳ ଭାବେ ବୃଦ୍ଧି ହେବାରେ ଲାଗିଛି । ଏହାକୁ ରୋକିବା ଲାଗି ସମସ୍ତ ବାପା-ମା’ ସତର୍କତା ଅବଲମ୍ବନ କରିବା ଉଚିତ । ଏଠାରେ କିଛି ଟିପ୍ସ ଦିଆଯାଇଛି ଯାହା ଆପଣମାନଙ୍କର ନିଶ୍ଚିତ ରୂପରେ କାମରେ ଲାଗିବ ।

• ସର୍ବ ପ୍ରଥମେ ଆପଣ କୋଡୱାର୍ଡ ପ୍ରକ୍ରିୟା ଆପଣେଇ ପାରିବେ । ଏହା ଏକ ସଫଳ ଉଦାହରଣ ଅଟେ । ନିଜ ଶିଶୁକୁ କିଛି ଏଭଳି କଠିନ କୋଡୱାର୍ଡ କୁହନ୍ତୁ ଯାହାର ଅନ୍ୟ ଲୋକମାନେ ଅନୁମାନ ଲଗାଇବା ମଧ୍ୟ କାଠିକର ପାଠ ହୋଇଯିବ ।

• ଆପଣଙ୍କୁ ଛୁଆଙ୍କୁ କଠିନରୁ କଠିନ ସମସ୍ୟାରେ ଥିଲେ ମଧ୍ୟ ଭୟ ନକରିବା ପାଇଁ ଶିଖାନ୍ତୁ । ଅଜଣା ବ୍ୟକ୍ତି ଯେତେ ବି ବଡ ଦୁର୍ଘଟଣା କିମ୍ବା ଲୋଭା ଦେଖାଇବାକୁ ଚେଷ୍ଟା କଲେ ମଧ୍ୟ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାହସର ସହ ସମ୍ଭାଳିବା ପାଇଁ କୁହନ୍ତୁ । ଆଖପାଖରେ ଥିବା ଲୋକଙ୍କ ଠାରୁ ଫୋନ ନେଇ ଘରର ଅନ୍ୟ ସଦସ୍ୟଙ୍କୁ କଲ କରିବା ପାଇଁ ପରାମର୍ଶ ଦିଅନ୍ତୁ ।

• ଶିଶୁଙ୍କ ବ୍ୟାଗରେ ଆଇକାର୍ଡ ନିଶ୍ଚିତ ରୂପେ ରଖନ୍ତୁ । ଯେଉଁଥିରେ ଘର ନମ୍ବର କିମ୍ବା ମୋବାଇଲ ନମ୍ବର ଆଦି ରହିଥାଏ ତାହା ରହିବା ନିହାତି ଜରୁରୀ ।

• ଶିଶକୁ ସର୍ବଦା ଜିପିଏସ ଟ୍ରାକିଂ ପିନ୍ଧିବା ପାଇଁ ପରମର୍ଶ ଦିଅନ୍ତୁ । ଆଜିକାଲି ଏହି ଡିଭାଇସରେ ଏଭଳି ସିଷ୍ଟମ ମଧ୍ୟ ରହୁଛି ଯେ , ଯେତେବେଳେ ପିଲା କୌଣସି ଅସୁବିଧାର ସମ୍ମୁଖୀନ ହେବ ସେହି ଡିଭାଇସ ଜରିଆରେ ଘରକୁ ମେସେଜ ଏବଂ କଲ ମଧ୍ୟ କରିପାରିବ । ଏହାଦ୍ୱାରା ଆପଣ ମଧ୍ୟ ଆପଣଙ୍କ ମୋବାଇଲ ଜରିଆରେ ଅନୁମାନ ଲଗାଇ ପାରିବେ ଆପଣଙ୍କ ଶିଶୁ କେଉଁ ସ୍ଥାନରେ ଅଛି ।

• ଆପଣଙ୍କ ପିଲା ଯଦି ସୋସିଆଲ ମିଡିଆ ସମ୍ପର୍କରେ ସବୁବେଳେ ରହୁଛି ତେବେ ଏହାର ପତ୍ତା ଲଗାନ୍ତୁ କି ଆପଣଙ୍କ ପିଲା ସେୟାର କରୁଥିବା ତଥ୍ୟ ପିଲାକୁ ଅସୁବିଧାରେ ପକାଇବ ନାହିଁ ତ ଏବଂ ସେ ସୋସିଆଲ ମିଡିଆ ଜରିଆରେ କାହା ସହ ସମ୍ପର୍କରେ ରହୁଛନ୍ତି ସେ ସମସ୍ତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ।

• ପିଲାର ଚାଲି ଚଳଣରେ ପରିବର୍ତ୍ତନ ଦେଖାଦେଲେ ଆପଣ ତାଙ୍କୁ ଭଲ ପାଇବା ଦେଇ ସମସ୍ତ ତଥ୍ୟ ଜାଣନ୍ତୁ ଏବଂ ତାଙ୍କୁ ସାହାଯ୍ୟ କରନ୍ତୁ ।

• ଆପଣଙ୍କ ଶିଶୁକୁ ଜଣାନ୍ତୁ ଯେ ଅଜଣା ବ୍ୟକ୍ତି କିଛି ପ୍ରଲୋଭନ ଦେଖାଇଲେ ନିଅନ୍ତୁ ନାହିଁ ଏବଂ ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ନେବାରୁ ଦୂରେଇ ରୁହନ୍ତୁ ।

• ଆପଣ ଯେଉଁ ସମସ୍ତ ତାଲିମ ଆପଣଙ୍କ ଶିଶୁକୁ ଦେଇଛନ୍ତି ସେ ସମସ୍ତ ତାଲିମ ବାରମ୍ବାର ଅଭ୍ୟାସ କରାନ୍ତୁ । ଯାହାଦ୍ୱାରା ପିଲାର ସମସ୍ତ କଥା ଭଲ ଭାବେ ମନେ ରହିବ ।