ବିପର୍ଯ୍ୟୟର ନାଁ କରୋନା ! ମାର୍ଚ୍ଚ ୩୧ ଯାଏଁ ସ୍କୁଲ କଲେଜ, ଜିମ୍, ସିନେମା ହଲ୍ ବନ୍ଦ । ଧାର୍ମିକ ଉତ୍ସବ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା ।

552

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ପହଞ୍ଚିଥିବାବେଳେ ଆଜି ଓଡିଶା ସରକାର ହଠାତ୍ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଭୁତାଣୁ ଜନିତ ରୋଗର ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ । ସେହିପରି ସିନେମା ହଲ୍, ଜିମ୍, ଓ ସୁଇମିଂ ପୁଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ବହୁ ଲୋକ ଏକାଠି ହେଉଥିବା ଧାର୍ମିକ ଉତ୍ସବ, ବାହାଘର ଭୋଜି ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତିି । ଆଜି ସକାଳେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ, ବିଶ୍ୱରେ ଏମିତି କମ୍ ସମୟ ଆସେ ଯେତେବେଳେ ସାରା ମାନବ ଜାତି ଏମିତି ବିପଦର ସାମନା କରେ, ଯାହାକୁ ସେ ଠିକ୍ ସେ ବୁଝି ନଥାଏ । ଏହାପରେ କ୍ୟାବିନେଟର ନିଷ୍ପତିି ଶୁଣାଇ ନବୀନ କହିଥିଲେ ବାହାରେ କେହି ପାନଛେପ ପକାନ୍ତୁ ନାହିଁ । ଏଥିସହ ମହାମାରୀ ରୋଗ ଆଇନ ୧୮୯୭ ବଳରେ ରାଜ୍ୟ ସରକାର ଅଧିକାରୀମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ ପାଇଁ ଅଧିକୃତ କରିଛନ୍ତି ।

କରୋନାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ୁଥିବାବେଳେ ଅପେକ୍ଷାକୃତ ଭାବେ କମ ପ୍ରଭାବିତ ଓଡିଶା, ଆଜି ହଠାତ୍ ବଡ ପଦକ୍ଷେପ ନେଇଛି । ସକାଳେ କ୍ୟାବିନେଟ୍ ବୈଠକ ଡକାଇ କରୋନା ମୁକାବିଲା ପାଇଁ ବ୍ଲୁପ୍ରିଂଟ ତିଆରି କରିଛନ୍ତି ରାଜ୍ୟ ସରକାର ।

କରୋନାର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏହାକୁ ମହାମାରୀ ଘୋଷଣା କରିବା ପରେ ଆଜି ଓଡିଶା ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ସ୍କୁଲ କଲେଜ ଛୁଟି ସହ ଏକାଠି ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି ।

କ୍ୟାବିନେଟ୍ ବୈଠକ ପରେ ବିଧାନସଭାକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୪୫ ଦିନ ହେଲା କରୋନା ଭାଇରସ ଭୟ ବିଶ୍ୱକୁ ଗୁରୁତର ଭାବେ ପ୍ରଭାବିତ କଲାଣି । କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ । ଏବଂ ସାମାଜିକ ଦୂରତା ହିଁ ଏକମାତ୍ର ପ୍ରଭାବୀ ଉପାୟ ହୋଇଥିବାରୁ ଏଥିପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି ।

– ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି
– ତେବେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି
– କୌଣସି ଧାର୍ମିକ ଉତ୍ସବରେ ଏକାଠି ହେବା ଉପରେ ରୋକ୍ ଲାଗିଛି
– ଏହି ସମୟରେ ବିବାହ ଭୋଜି ନକରିବା ପାଇଁ ପରାମର୍ଶ
– ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା
– ଅନାବଶ୍ୟକ ସରକାରୀ ବୈଠକ ଗୁଡିକୁ ବାତିଲ କରିଦିଆଯାଇଛି
– ସେମିନାର, ୱାର୍କସପ୍, କନଫରେନ୍ସ ଉପରେ କଟକଣା ଲଗାଯାଇଛି
– ମାର୍ଚ୍ଚ ୩୧ ଯାଏଁ ରାଜ୍ୟରେ ସମସ୍ତ ସିନେମା ହଲ୍ ବନ୍ଦ ରହିବ
– ସବୁ ସ୍ଥାନରେ ସ୍ୱିମିଂ ପୁଲ ଗୁଡିକୁ ବନ୍ଦ୍ କରିବା ପାଇଁ ନିର୍ଦ୍ଦେଶ
– ରାଜ୍ୟର ସମସ୍ତ ଜିମ୍ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

କରୋନାକୁ ଦୃଷ୍ଟିରେ ରଖି ବିଧାନସଭାକୁ ଆସନ୍ତା ୨୯ ତାରିଖ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବିଜେପି ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି ମଧ୍ୟରେ ଗୃହ ମୁଲତବୀ ହୋଇଛି । ଆଉ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନରେ ପାରିତ ହେବ । ସେପଟେ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ବନ୍ଦ କରାଯାଇଛି । ଜିଲ୍ଲା ସ୍ତରରେ ଥିବା ସମସ୍ତ ଅଭଯୋଗ ପ୍ରକୋଷ୍ଠ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ । ତେଣୁ ଲୋକମାନେ ଅନଲାଇନରେ ସେମାନଙ୍କ ଅଭିଯୋଗ ପଠାଇବାକୁ କୁହାଯାଇଛି । ରାଜ୍ୟବାସୀଙ୍କୁ ସର୍ବସାଧାରଣ ସ୍ଥାନରେ ପାନଛେପ ନପକାଇବାକୁ ବ୍ୟକ୍ତିଗତ ଭାବେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତିକୁ କିଛି ଏହିଭଳି ଢଙ୍ଗରେ ବ୍ୟାଖ୍ୟା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ‘ ଆମକୁ ଶାନ୍ତ ରହିବାକୁ ପଡିବ କିନ୍ତୁ ସନ୍ତୁଷ୍ଟ ନହେଁ …
ଆମକୁ ପ୍ରସ୍ତୁତ ରହିବାକୁ ପଡିବ କିନ୍ତୁ ଭୟଭୀତ ନୁହେଁ ।’

ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ ଅନୁସାରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ବିଶ୍ୱବ୍ୟାପୀ ମହାମାରୀ ଘୋଷଣା କରିବା ସହ ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲା । ତେଣୁ ସରକାରୀ ଅଧିକାରୀମାନଙ୍କୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକୃତ କରାଯାଇଛି । ମହାମାରୀ ରୋଗ ଆଇନ ୧୮୯୭ ବଳରେ ଅଧିକାରୀମାନେ ସେମାନଙ୍କ କ୍ଷମତାର ଉପଯୋଗ କରିବେ ।

– କରୋନା ଭୂତାଣୁର ମୁକାବିଲା ପାଇଁ କ୍ଷମତାପ୍ରାପ୍ତ ମନ୍ତ୍ରୀଗୋଷ୍ଠୀ ଗଠନ ହୋଇଛି
– ମୁଖ୍ୟ ଶାସନ ସଚିବଙ୍କ ଅକ୍ଷ୍ୟକ୍ଷତାରେ ସଚିବମାନଙ୍କ କମିଟି ଗଠନ କରାଯାଇଛି
– ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ସଚିବସ୍ତରୀୟ ଟିମ୍ ଏହାକୁ ନିରୀକ୍ଷଣ କରିବେ
– ସଂକ୍ରମଣକୁ ରୋକିବା ଓ ମୁକାବିଲା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ
– କୋଭିଡ-୧୯ ଓଡିଶା ରେଗୁଲେସନ୍ସ ୨୦୨୦କୁ କ୍ୟାବିନେଟର ଅନୁମୋଦନ
– କରୋନା ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର